ବିକଳ୍ପ ରାଜନୀତି ମାଧ୍ୟମରେ ହିଁ ସମାଜରେ ସମାନତା ସମ୍ଭବ; ନବକୃଷ୍ଣ ଚୌଧୁରୀ ଜଣେ ପ୍ରକୃତ ରାଜର୍ଷି ଥିଲେ
ଜମନକିରା : ବିକଳ୍ପ ରାଜନୀତିର ଆଦର୍ଶକୁ ପାଥେୟ କଲେ ହିଁ ସମାଜରେ ସାମାଜିକ ଓ ଅର୍ଥନୈତିକ ସମାନତା ପ୍ରତିଷ୍ଠା ହୋଇପାରିବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ସେହି ଆଦର୍ଶର ଜଣେ ମହାନ ରାଜର୍ଷି ବୋଲି ଜରାବଗାଠାରେ ଆୟୋଜିତ ତାଙ୍କର ୧୨୫ତମ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନବକୃଷ୍ଣ ଜୟନ୍ତୀ କମିଟି ଏବଂ ଜରାବଗା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପ୍ରେକ୍ଷାଳୟରେ ଏହି ସାରସ୍ୱତ ଓ ଶ୍ରଦ୍ଧାଞ୍ଜଳି ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପଟ୍ଟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନବବାବୁଙ୍କ ନିରାଡ଼ମ୍ବର ଜୀବନଶୈଳୀ ଓ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ। ସେ ନିଜ ବକ୍ତବ୍ୟରେ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପ୍ରଣୀତ ଐତିହାସିକ ନିଶାନିବାରଣ ଆଇନ, ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଏବଂ କ୍ରାନ୍ତିକାରୀ ଭୂସଂସ୍କାର ଆଇନର ଭୂୟସୀ ପ୍ରଶଂସା କରିବା ସହ ବର୍ତ୍ତମାନ ସମୟରେ ବିକଳ୍ପ ରାଜନୀତି ମାଧ୍ୟମରେ ହିଁ ଏସବୁ ଲୋକାଭିମୁଖୀ ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିଷାନ ଯୋଗଦେଇ ନବବାବୁଙ୍କ ସଂଗ୍ରାମୀ ଜୀବନୀ ଓ ଓଡ଼ିଶା ନିର୍ମାଣରେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ସାରଗର୍ଭକ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୀଷଣ କିଷାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ଗୋପବନ୍ଧୁ ପଧାନ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶାନିବାରଣ, ବ୍ୟାପକ ବୃକ୍ଷରୋପଣ ଏବଂ ମାତୃଭାଷା ଓଡ଼ିଆକୁ ଯଥୋଚିତ ସମ୍ମାନ ଦେବା ପାଇଁ ସାମୂହିକ ଶପଥ ପାଠ କରିଥିଲେ। ଶେଷରେ ରଞ୍ଜିତା ପଟେଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାମୂହିକ ଜାତୀୟ ସଙ୍ଗୀତ ଗାନ ସହ ସଭା ସାଙ୍ଗ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପଦ୍ମିନୀ ମାରେଇ, ଶାନ୍ତି ସୁମନ, ରସିତ ଖାଲକୋ, ନିରୁପମା ଖମାରୀ, ମିଳି ନାଏକ ଓ ସରୋଜ ପଟେଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

