ଅବକାରୀ ବିଭାଗର ପାରିବାପଣ ଉପରେ ବଡ଼ ପ୍ରଶ୍ନ: ତୁଷୁରାରେ ୧.୨୪ କୁଇଣ୍ଟାଲ ଗଞ୍ଜେଇ ଜବତ, ଆଖି ସାମ୍ନାରେ ଫେରାର ହେଲା ଅଭିଯୁକ୍ତ ।
ବଲାଙ୍ଗୀର,୨୭।୧୧: ବଲାଙ୍ଗୀର ଜିଲ୍ଲା ତୁଷୁରାର ତେଲବ୍ରିଜ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ କାର୍ରୁ ୧ କୁଇଣ୍ଟାଲ ୨୪ କେଜି ଗଞ୍ଜେଇ ଜବତ କରାଯାଇଥିଲେ ହେଁ, ଅଭିଯୁକ୍ତ ଘଟଣାସ୍ଥଳରୁ ଖସିଯିବା ଘଟଣା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଞ୍ଜେଇ ଚୋରାଚାଲାଣ ରୋକିବାରେ ବିଭାଗ କେତେ ସକ୍ଷମ ଏବଂ ମାଫିଆମାନଙ୍କ ସାମ୍ନାରେ ଅବକାରୀ ଟିମ୍ କେତେ ଅସହାୟ ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି।
ସୂଚନା ମୁତାବକ, ଆଜି ଭୋର ପ୍ରାୟ ୩ଟା ବେଳେ ଅବକାରୀ ବିଭାଗର ମୋବାଇଲ୍ ଟିମ୍, ଡିଷ୍ଟ୍ରିକ୍ଟ ମୋବାଇଲ୍ ଟିମ୍ ଏବଂ ସଦର ଟିମ୍ ମିଳିତ ଭାବେ ତେଲବ୍ରିଜ୍ ପାଖରେ ପେଟ୍ରୋଲିଂ କରୁଥିଲେ। ପୂର୍ବ ସୂଚନା ଆଧାରରେ ଗାଡ଼ିକୁ ଜଗି ରହିଥିବା ବେଳେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଦୁର୍ଘଟଣା ପରେ ଅଭିଯୁକ୍ତ ସହଜରେ ଖସି ପଳାଇବା ଏବଂ ଘଣ୍ଟାଏ-ଦୁଇ ଘଣ୍ଟା ଖୋଜାଖୋଜି ସତ୍ତ୍ୱେ ତାକୁ ଧରି ନପାରିବା ଅବକାରୀ କର୍ମଚାରୀଙ୍କ ତତ୍ପରତା ଓ ପ୍ରସ୍ତୁତିକୁ ନେଇ ସନ୍ଦେହ ବଢ଼ାଇଛି। କୁହୁଡ଼ିର ଆଳ ଦେଖାଇ ଅଭିଯୁକ୍ତ ଫେରାର ହୋଇଯିବା ପରେ କେବଳ ତଦନ୍ତ ଓ ଖୁବ୍ ଶୀଘ୍ର ଗିରଫଦାରୀର ପ୍ରତିଶ୍ରୁତି ଦେଇ ବିଭାଗ ନିଜ ଦାୟିତ୍ୱ ସାରିଦେଉଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ତେଲେଙ୍ଗାନା ନମ୍ବର ଥିବା ଏହି ଗାଡ଼ିଟି କନ୍ଧମାଳରୁ ଗଞ୍ଜେଇ ଧରି ତେଲେଙ୍ଗାନା ଯାଉଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଥିବା ବେଳେ NDPS Act 1985 ର ଧାରା 20(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ମାତ୍ର କର୍ମଚାରୀ ଅଭାବ ଓ ଆହ୍ଵାନର ଦ୍ୱାହି ଦେଇ ବାରମ୍ବାର ଏଭଳି ଢିଲା କାର୍ଯ୍ୟାନୁଷ୍ଠାନ ଚାଲିଥିବା ଅଭିଯୋଗ ହେଉଛି। ବଲାଙ୍ଗୀର ଓ ସୋନପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ କେବଳ ଲୋକ ଦେଖାଣିଆ ଓ ଆନୁଷ୍ଠାନିକତା ପାଲଟିଛି କି ? ବେଆଇନ ଗଞ୍ଜେଇ ଚାଷ ଓ ଚୋରାଚାଲାଣର ଚେର ଉପାଡ଼ିବାରେ ଅବକାରୀ ବିଭାଗର ବିଫଳତା ପାଇଁ କିଏ ଦାୟୀ ରହିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।

