ଆମେରିକାରେ ଖେଳିବେ ହ୍ୱିଲଚେୟାର କ୍ରିକେଟର ଚିତ୍ତରଂଜନ: ଏସ୍.ଏସ୍.ସି.ଏଲ୍. ସୁପର ୬୦ ହ୍ୱିଲ ଚେୟାର କ୍ରିକେଟ୍ ଲିଗ୍ ତାଲିକାରେ ସ୍ଥାନ ପାଇଲେ ମୁରିବାହାଲର ଯୁବ ପ୍ରତିଭା ।
ବଲାଙ୍ଗୀର,୨୭।୧୧: ଆମେରିକାରେ ଆୟୋଜିତ ହେବାକୁ ଥିବା ଆଗାମୀ ଏସ୍.ଏସ୍.ସି.ଏଲ୍. (SSCL) ସୁପର ୬୦ କ୍ରିକେଟ୍ ଲିଗ୍ ପାଇଁ ଭାରତୀୟ ହ୍ୱିଲ ଚେୟାର କ୍ରିକେଟର ମାନଙ୍କ ତାଲିକାରେ ସ୍ଥାନ ପାଇ ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁବ ପ୍ରତିଭା ଶ୍ରୀ ଚିତ୍ତରଂଜନ ବଛା। ସେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡ଼ାର ଗ୍ରାମର ଶ୍ରୀ ପୂର୍ଣ୍ଣଚନ୍ଦ୍ର ବଛାଙ୍କ ସୁପୁତ୍ର ଅଟନ୍ତି।
ଆନ୍ତର୍ଜାତୀୟ ସ୍ତରର ଏହି କ୍ରିକେଟ୍ ଲିଗ୍ ପାଇଁ ଚିତ୍ତରଂଜନଙ୍କ ନାମ ତାଲିକାରେ ଦାଖଲ ହେବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଶାରୀରିକ ପ୍ରତିବନ୍ଧକକୁ ପଛରେ ପକାଇ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଏହି ଅଗ୍ରଗତି ଅନେକ ଯୁବପିଢ଼ି ତଥା ବିଶେଷ କରି ଯାଦବ ସମାଜ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି।
ଏହି ସଫଳତା ଉପରେ ପ୍ରତିକ୍ରିୟା ରଖି ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଶ୍ରୀ ଚିତ୍ତରଂଜନ ବଛାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିଧାୟକ ଶ୍ରୀ ବାଗ କହିଛନ୍ତି ଯେ, ଚିତ୍ତରଂଜନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଗର୍ବ ଓ ଗୌରବ। ଆମେରିକାରେ ହେବାକୁ ଥିବା ଏସ୍.ଏସ୍.ସି.ଏଲ୍. ସୁପର ୬୦ କ୍ରିକେଟ୍ ଲିଗ୍ ପାଇଁ ଭାରତୀୟ ହ୍ୱିଲଚେୟାର କ୍ରିକେଟ୍ ତାଲିକାରେ ତାଙ୍କ ନାମ ସ୍ଥାନ ପାଇବା ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ। ଏହା କେବଳ ଚିତ୍ତରଂଜନଙ୍କ ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ଟୁପାଉଡାର ଗ୍ରାମ, ମୁରିବାହାଲ ବ୍ଲକ ଏବଂ ସମଗ୍ର ଯାଦବ ସମାଜ ପାଇଁ ଏକ ବଡ଼ ସମ୍ମାନ।
ଆଗାମୀ ଦିନରେ ସେ ଉତ୍ତମ ପ୍ରଦର୍ଶନ କରି ଦେଶ ତଥା ଜିଲ୍ଲାର ନାମ ଉଜ୍ଜ୍ୱଳ କରନ୍ତୁ ବୋଲି ବିଧାୟକଙ୍କ ସମେତ ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ କାମନା କରିଛନ୍ତି।

