Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୁସୁରାମୁଣ୍ଡା ଅଙ୍ଗନୱାଡ଼ି ପାଚିକା ନିଯୁକ୍ତି ଘଟଣା: ଜିଲ୍ଲାପାଳଙ୍କ ନିକଟରେ ଘଟଣାର ସମାଧାନ ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଦାବି ।

ବଲାଙ୍ଗୀର,୨୭।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଗୁଡିଘାଟ ପଞ୍ଚାୟତର ଚର୍ଚ୍ଚିତ ତଥା ବିବାଦୀୟ ଘୁସୁରାମୁଣ୍ଡା ଗାଁର ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦର ତୁରନ୍ତ ସମାଧାନ ଦାବିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାରଙ୍କୁ ଭେଟି ଆଜି ଦୃଷ୍ଟି ଆକର୍ଷଣ ତଥା ଦାବୀ କରାଯାଇଛି। ପୂର୍ବରୁ ସଂପୃକ୍ତ ସଂଘ ପକ୍ଷରୁ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ନିକଟରେ ଏହି ନିଯୁକ୍ତି ଅନିୟମିତତା ସମ୍ପର୍କରେ କରାଯାଇଥିବା ଆବେଦନ (Petition) ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ସମାଧାନ ପାଇଁ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଦାବି ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ଇଶଲୱାର ୨୦୨୩ ମସିହାର ସରକାରୀ ଗାଇଡ୍‌ଲାଇନ୍‌କୁ ଅନୁସରଣ କରି ନିଶ୍ଚିତ ଭାବେ ଆଗାମୀ ସପ୍ତାହେ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଏହି ଦାବି ଉପସ୍ଥାପନ ବେଳେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ, ଓଡ଼ିଶା କନ୍ଧ ସମାଜ ସାଧାରଣ ସମ୍ପାଦକ ଖୁସିରାମ ଯାନୀ, ମୁରିବାହାଲ ବ୍ଲକ ଆଦିବାସୀ ସଂଘ ସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ସାଧାରଣ ସମ୍ପାଦକ ମଧୁ ଯାନୀ, ସହ ସମ୍ପାଦକ ତୁଳସୀରାମ ଭୋଇ, ସଂସ୍କୃତି ସମ୍ପାଦକ ଗୋପାଳ ସିଂ ଭୋଇ ଏବଂ ୨୭ ନମ୍ବର ଜୋନ୍ କାର୍ଯ୍ୟକାରୀ ସଭାପତି ଦୂଷିମଣି ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ୨୦୨୩ ଗାଇଡ୍‌ଲାଇନ୍ ଆଧାରରେ କି ପଦକ୍ଷେପ ନିଆଯାଉଛି ଏବଂ ଘୁସୁରାମୁଣ୍ଡା ଅଙ୍ଗନୱାଡ଼ି ପାଚିକା ନିଯୁକ୍ତି ବିବାଦର କିପରି ପୂର୍ଣ୍ଣଛେଦ ପଡ଼ୁଛି, ତାହା ଉପରେ ସ୍ଥାନୀୟ ଅଞ୍ଚଳବାସୀ ଓ ସଂଘର ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories