ରାଜେନ୍ଦ୍ର କଲେଜ ସମ୍ମୁଖରେ ସଡ଼କ ଦୁର୍ଘଟଣା: ସାଇକେଲ୍ ଆରୋହୀ ଛାତ୍ରୀ ଗୁରୁତର, ଦୁଇ ଜଣଙ୍କୁ କାବୁ କଲା ଟାଉନ ପୋଲିସ; ସ୍ପିଡ୍ ବ୍ରେକର୍ ଦାବି ।
ବଲାଙ୍ଗୀର,୨୭।୧୧: ବଲାଙ୍ଗୀର ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ (ରାଜେନ୍ଦ୍ର କଲେଜ) ସମ୍ମୁଖ ରାସ୍ତାରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟି ସାଇକେଲ୍ରେ ଯାଉଥିବା ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦ୍ରୁତଗତିରେ ଆସୁଥିବା ଏକ ଦୁଇଚକିଆ ଗାଡ଼ି ଛାତ୍ରୀଙ୍କୁ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଜେନ୍ଦ୍ର କଲେଜ ରାସ୍ତାରେ ଛାତ୍ରୀ ଜଣକ ସାଇକେଲ୍ରେ ଯାଉଥିବା ବେଳେ ଏକ ଦୁଇଚକିଆ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ସାଇକେଲ୍ଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଛାତ୍ରୀ ଜଣକ ରକ୍ତାକ୍ତ ଅବସ୍ଥାରେ ଖଣ୍ଡିଆ ଖାବରା ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ସହାୟତାରେ ଗୁରୁତର ଛାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।
ଘଟଣା ସମ୍ପର୍କରେ ସୂଚନା ପାଇ ଟାଉନ ପୋଲିସ (PCR) ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ ଦୁଇ ଜଣଙ୍କୁ କାବୁ କରି ନେଇଛି। ଘଟଣାସ୍ଥଳରେ କ୍ଷତିଗ୍ରସ୍ତ ବାଇକ୍ ଓ ସାଇକେଲ୍ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ, ଏହି ବ୍ୟସ୍ତବହୁଳ ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ କରିବା ପାଇଁ କୌଣସି ହମ୍ପସ୍ ବା ସ୍ପିଡ୍ ବ୍ରେକର୍ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ଓ ହଷ୍ଟେଲ୍ ନିକଟସ୍ଥ ଏହି ରାସ୍ତାରେ ତୁରନ୍ତ ସ୍ପିଡ୍ ବ୍ରେକର୍ ନିର୍ମାଣ ସହ ଗତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହୋଇଛି।

