କାମରେ ଆସୁନି ଲକ୍ଷାଧିକ ମୂଲ୍ୟରେ ନିର୍ମିତ କୋଠା

ସମ୍ବଲପୁର : ବିକାଶ ଛୁଇଁ ପାରୁନି ମେଘପାଳକୁ।ସ୍ୱର୍ଶ୍ୱ କାତର ଅଞ୍ଚଳରେ ବିକାଶ ଫୁଟାଇ ତଳ ସ୍ତରରେ ଥିବା ଲୋକଙ୍କୁ ସମାଜର ମୂଳ ସ୍ରୋତରେ ଛିଡା କରିବାକୁ ସରକାରଙ୍କ ସବୁ ଯେମିତି ଯୋଜନା ଫେଲ ମାରିଛି ମେଘପାଳ ପଞ୍ଚାୟତରେ। ଏପରିକି ଆଦିବାସୀ ହରିଜନ ବିଭାଗ ଦ୍ୱାରା ରାଜ୍ୟ ଯୋଜନା ଅର୍ଥରେ ନିର୍ମିତ ବହୁମୁଖି ସାଂସ୍କୃତିକ ଚିତ୍ତବିନୋଦନ କେନ୍ଦ୍ର ଲୋକାର୍ପିତ ହେବାର ୨ ବର୍ଷ ପରେବି ଲୋକଙ୍କ କୌଣସି କାମରେ ଆସିନି। ବର୍ତ୍ତମାନ ଏହା ନଷ୍ଟ ହେବାକୁ ବସିଥିଲେବି ସ୍ଥାନୀୟ ନେତୃତ୍ୱର ଚେତାବି ଉଦୟ ହୋଇନି । ଏହି କାର୍ଯ୍ୟ କିଏ କଲା ତାହାର ମଧ୍ୟ କୌଣସି ସୂଚନା ଫଳକ ନଜରକୁ ଆସୁନି। ୧୦ ଲକ୍ଷ ଟଙ୍କା ଉପରକୁ କାମର ଟେଣ୍ଡର ହୋଇ ସୂଚନା ଫଳକ ଲଗେଇବା ପରେ କାମ ହୋଇଥାଏ। ଯୁଯୋମରା ପଞ୍ଚାୟତ ସମିତି ଅଧିନରେ ଏହି କାମ ହୋଇଥିବା କୁହାଯାଉଛି । ୨୦୨୧ ଏପ୍ରିଲ ମାସରୁ ଏହା ଲୋକାର୍ପିତ ହୋଇଥିଲେବି ଲୋକଙ୍କ କାମରେ ନଆସି କୋଠାର ଅବସ୍ଥା ବିଗିଡିବାକୁ ବସିଲାଣି। ସମଗ୍ର ବ୍ଲକ୍ ଭିତରେ ଏଭଳି ବହୂମୁଖି ସାଂସ୍କୃତିକ ଚିତ୍ତ ବିନୋଦନ କେନ୍ଦ୍ର ରହିଛି ଟାମ୍ପରସିଙ୍ଗାରେ। ଦୀର୍ଘ ୨ ବର୍ଷ ଉପରକୁ ହେଲା ଏହା ଲୋକାର୍ପିତ ହୋଇ ମଧ୍ୟ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ଦିଗରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ କାହିଁକି ନିଜର ପାରିବା ପଣିଆ ଦେଖାଇ ପାରୁ ନାହାଁନ୍ତି ତାହାବି ରହସ୍ୟ ଘେରରେ । ବର୍ତ୍ତମାନ ଏହି ଘରର ପାଇଖାନା ଘର ନଷ୍ଟ ହେବା ବେଳକୁ ଟିଣ କବାଟ ସବୁରେ କଳଙ୍କି ଲାଗିଲାଣି । ଏପରିକି କାନ୍ଥରେ ଫାଟ ହେଲାଣି। ଏହି କୋଠାଘରୁ ବିଜୁଳି ବତୀ ଚୋରି ହୋଇଥିବା ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଗ୍ରାମବାସୀଙ୍କୁ ଏହା ହସ୍ତାନ୍ତର ହୋଇନି କି ମୂଳରୁ ବିଦ୍ୟୁତ ସଂଯୋଗବି ହୋଇନି। ପୁଣି ଘରଭିତର ତାଲା ପଡିଛି । ହେଲେ ଏଭଲି ଚୋରୀ ହେଉଥିବା ନେଇ ପୋଲିସରେ କିଛି ଖବର ନାହିଁକି ପଞ୍ଚାୟତ ବୈଠକରେ ମଧ୍ୟ ଆଲୋଚନା ହୋଇନଥିବା ଜଣାପଡିଛି । ଲୋକଙ୍କ ପାଇଁ ଆସୁଥିବା ଜନହୀତ କାମ ଗୁଡିକର ସଫଳ ରୂପାୟନ ହୋଇନପାରିବା ପଛରେ ସ୍ଥାନୀୟ ନେତୃତ୍ୱକୁ ଦାୟୀ କରାଯାଉଛି ।ସରକାରଙ୍କ ମୂଳ ଲକ୍ଷ ମେଘପାଳ ଭଳି ଏକ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଇବା।ଏଭଳି ଏକ ମହତ ଯୋଜନା ପ୍ରତି କିନ୍ତୁ ସ୍ଥାନୀୟ ସରପଞ୍ଚ୍ ଙ୍କ ଆନ୍ତରିକତାର ଅଭାବ ନାଁ ବ୍ଲକ୍ ପ୍ରଶାସନର ଦୂରଦର୍ଶିତା ଅଭାବ କିଛି ସ୍ୱଷ୍ଟ ହୋଇପାରୁନାହିଁ । ଏହା କାମରେ ନଆସି ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ଟାମ୍ପରସିଙ୍ଗା ଓ ତା ନିକଟ ବର୍ତ୍ତି ଗାଁ ପଡାରେ ଏଭଳି କୌଣସି କୋଠା ନଥିବାରୁ ବିଭିନ୍ନ ସଭା ସମିତି କିମ୍ବା କୌଣସି ସାସ୍କୃତିକ କାମ ପାଇଁ ଏହା ମିଳିପାରୁନି। ବର୍ତ୍ତମାନ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ବେଳେଏବେ ଏହାର କାର୍ଯ୍ୟକାରିତା ନେଇ ପଞ୍ଚାୟତ ଓ ବ୍ଲକ୍ କର୍ତ୍ତୁପକ୍ଷଙ୍କ ଚେତନା କେବେ ଉଦୟ ହେଉଛି ତାହା ଦେଖିବାକୁ ବାକି ରହିଲା।