ଓଡ଼ିଶା ନିଉଜର ପ୍ରଭାବ… ଯୁକ୍ତ ୨ ମହାବିଦ୍ୟାଳୟ ଅଧକ୍ଷ ଭାବେ ଦାୟିତ୍ଵ ନେଲେ ଯୁକ୍ତ ୩ର ଅଧ୍ୟକ୍ଷ
 
        ଜମନକିରା : ଜମନକିରା ଯୁକ୍ତ୨ ମହାବିଦ୍ୟାଳୟ ଟି ଅଧକ୍ଷ ବିନା ମୂରବୀ ବିହୀନ ହୋଇଯିବ ନେଇ ଗତ ଜୁନ ୪ ତାରିଖ ଦିନ ଓଡ଼ିଶା ନିଉଜରେ ଖବର ପ୍ରସାରଣ ପରେ ଗଣ ଶିକ୍ଷାବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଗତକାଲି ଯୁକ୍ତ୩ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କୁ ଅବସର ଗ୍ରହଣ କରିଥିବା ଅଧକ୍ଷ ରମେଶ ଚନ୍ଦ୍ର ରାଉତ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ଆନୁଷ୍ଠାନିକ ଭାବେ ଅନ୍ୟ ଜଣେ ଅଧକ୍ଷ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ପଟେଲ ଯୁକ୍ତ୨ ଅଧକ୍ଷ ଭାବରେ କାର୍ଯ୍ୟ ତୁଲେଇବେ ବୋଲି ପରିଚାଳନା କମିଟିର ସଭାପତି ତଥା ଉପ-ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଏକ ପତ୍ରରେ ଉଲ୍ଲେଖ କରିଥିବା ନେଇ କଲେଜ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଦୀର୍ଘ ୩୦ ବର୍ଷ ପୂର୍ବରୁ ଅଞ୍ଚଳବାସୀଙ୍କ ବହୁ ପ୍ରଚେଷ୍ଟାରେ ଗଢି ଉଠିଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟ ଟି ଗତ ଜୁନ ମାସ ଠାରୁ ଅଧକ୍ଷ ବିନା ଶ୍ରୀହୀନ ହୋଇପଡ଼ିବା ନେଇ ଖବର ପ୍ରକାଶ ପାଇଥିଲା। ପଢୁଥିବା ପାଖାପାଖି ସାଢେ଼ ୬ଶହ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ ପଡ଼ିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟି ଥିଲା। ଗତ ୨୦୮୩ ମସିହାରେ ଜମନକିରା ବ୍ଲକ ସଦର ମହକୁମାରେ ଯୁକ୍ତ ଦୁଇ ମହାବିଦ୍ୟାଳୟ  ଅଞ୍ଚଳବାସୀଙ୍କ ବଦାନ୍ୟତା ଏବଂ ଶିକ୍ଷାଦାତାଙ୍କ ସହଯୋଗରେ ଗଢି ଉଠିଥିଲା। ବହୁଦିନ ଧରି ଅଧ୍ୟାପକ ମାନେ ବିନା ଦରମାରେ କିଛିଟା ପାରିତୋଷିକ ନେଇ ଶିକ୍ଷାଦାନ କରି ଆସୁଥିଲେ। ସେହି ସମୟରୁ ସ୍ବର୍ଗତ ପ୍ରଶାନ୍ତ କୁମାର ପଟେଲ ଅଧକ୍ଷ ଭାବେ ଦାୟିତ୍ଵ ନେଇ କଲେଜ କୁ ସୁରୁଖୁରୁରେ ପରିଚାଳନା କରି ଆସୁଥିଲେ। ପରବର୍ତ୍ତୀ ସମୟରେ ଡ. ବସନ୍ତ କୁମାର ଦାସ, ଡ. କୃପାସିନ୍ଧୁ ନାଥ ପ୍ରମୁଖ ଅଧ୍ୟକ୍ଷ ରହି ଅବସର ନେଲେ। ତାଙ୍କ ପରେ ଗତ ଦେଢ଼ ବର୍ଷ ହେବ ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷ କାର୍ଯ୍ୟ ତୁଲେଇ ଆସୁଥିଲେ। ତେବେ ସେ ଗତ ଜୁନ ୩୦ ତାରିଖରେ ଅବସର ଗ୍ରହଣ କଲେ। କଲେଜ ଖୋଲିବାର ୨/୩ ବର୍ଷ ମଧ୍ୟରେ ୭ ଜଣ ଅଧ୍ୟାପକ କାର୍ଯ୍ୟ କରୁଥିଲେ। ଯାହାକି ବହୁଦିନ ଧରି ବିନା ଗ୍ରାଣ୍ଟ ଇନ୍ ଏଡ ରେ ଅଧ୍ୟାପକ ଓ କର୍ମଚାରୀ ମାନେ କାର୍ଯ୍ୟ କରି ଆସୁଥିଲେ। ୩/୪ ବର୍ଷ ମଧ୍ୟରେ ସମସ୍ତ ରେଗୁଲାର ଅଧ୍ୟାପକ ଅବସର ଗ୍ରହଣ କରିସାରିଥିଲେ। ବର୍ତ୍ତମାନ ଯାହାବି ଅଧ୍ୟାପକ ଅଛନ୍ତି, ସମସ୍ତେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତି ଠିକା କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେମାନଙ୍କୁ ଦରମା, କଲେଜର ନିଜସ୍ୱ ଆୟରୁ ପ୍ରଦାନ କରାଯାଉଛି। ଯାହା ବହୁତ କମ ପରିମାଣ ଅଟେ। ଯଦି କେହି ଠିକା ଅଧ୍ୟାପକଙ୍କୁ ଅନ୍ୟ କୋଉଠି ରେଗୁଲାର କିମ୍ବା ସରକାରୀ ଚାକିରି ମିଳିଯାଏ, ସେମାନେ ଇସ୍ତଫା ଦେଇ ଅବିଳମ୍ବେ ଚାଲିଯିବେ। ଆଉ ସାଢ଼େ ୬ ଶହ ଛାତ୍ରୀ ଛାତ୍ରଙ୍କ ଭବିଷ୍ୟତ ଜୀବନ ଅନ୍ଧାରରେ ରହିଯିବ। କେମିତି ପାଠ ପଢାହେବ କେମିତି ପରିଚାଳନା ହେବ ସମସ୍ତେ ସନ୍ଧିହାନ ହୋଇପଡିବେ। ଏବେ ଯୁକ୍ତ ଦୁଇ କଳା ବିଭାଗରେ ୫ ଶହ ଛାତ୍ରୀ ଛାତ୍ର ପଢୁଥିବା ବେଳେ ୫ ଜଣ ଠିକା ଅଧ୍ୟାପକ ଅଧ୍ୟାପିକା ଶିକ୍ଷାଦାନ କରୁଛନ୍ତି। ସେହିପରି ଦେଢ଼ ଶହ ଛାତ୍ରୀ ଛାତ୍ର ବିଜ୍ଞାନ ବିଭାଗରେ ପଢୁଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ ଠିକା ଭାବରେ ୫ ଜଣ ଅଧ୍ୟାପକ ଅଧ୍ୟାପିକା ଶିକ୍ଷାଦାନ କରିଥାନ୍ତି। ତେବେ ୧୦ ହଜାର ରୁ କମ ଦରମା ପାଉଥିବା ଶିକ୍ଷକଙ୍କ ପାଇଁ କଲେଜରେ ପାଠ ପଢେଇବା କଷ୍ଟକର ହୋଇ ପଡ଼ୁଥିବା ନେଇ ଅଞ୍ଚଳବାସୀ ଆଶା ପ୍ରକଟ କରୁଥିଲେ। ଏନେଇ ଜମନକିରା  ଗ୍ରାମବାସୀ ସରକାରଙ୍କ ତଥା ବିଭାଗ ଅଧିକାରୀଙ୍କ ଅନେକ ଥର ଦୃଷ୍ଟିକୁ ଆଣିଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନଥିଲା। ତେବେ ଚଳିତ ମାସ ମଧ୍ୟରେ ଏହାର ଆଶୁ ସମାଧାନ ନହେଲେ କଲେଜରେ ଉଭୟ ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଖବର ପ୍ରସାରିତ ହେବା ପରେ ଗତକାଲି ଗଣଶିକ୍ଷା ବିଭାଗର ଚିଠି କ୍ରମେ ଯୁକ୍ତ ୩ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ପଟେଲଙ୍କୁ ଯୁକ୍ତ୨ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରାଉତ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ଏହା ଜାଣିବା ପରେ ଅଞ୍ଚଳବାସୀ, ଅଭିଭାବକ, ଅଭିଭାବିକା, ଛାତ୍ରୀ ଛାତ୍ର ବେଶ ଖୁସି ଅନୁଭବ କରୁଥିବା ଦେଖାଯାଇଛି।

 
                        
 
                                 
                                 
                                 
                                 
                                