ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ଥ, ଅଳ୍ପକେ ବର୍ତ୍ତିଲେ କଲେଜ ଛାତ୍ରଛାତ୍ରୀ


ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ଧନକଉଡ଼ା ସମ୍ବଲପୁରରେ ଭି କେ ପାଣ୍ଡିଆନଙ୍କ ଆଜି ଶନିବାର କାର୍ଯ୍ୟକ୍ରମ ରହିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଲେଜ ଛାତ୍ରୀ ଛାତ୍ରଙ୍କୁ ଯୋଗଦେବା ପାଇଁ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ କରାଯାଇଥିଲା। ସେହି ଅନୁଯାଇ ବିଡ଼ିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜମନକିରା ଯୁକ୍ତ ୨ ଏବଂ ଯୁକ୍ତ ୩ କଲେଜ କର୍ତ୍ତୃପକ୍ଷଙ୍କୁ ୭ଟି ବସ ଦିଆଯାଇଥିଲା। ସେହି ବସ ଗୁଡିକରେ ୫ ଶହ ପିଲାଙ୍କୁ ନେଇ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ବତନ୍ତ୍ର ବୈଠକ କରି କୁହାଯାଇଥିଲା। ଆଜି ଉଭୟ କଲେଜରୁ ମୋଟ ୪ଶହ ୫୦ଜଣ ଛାତ୍ରୀ ଛାତ୍ର ୭ଟି ବସରେ ସମ୍ବଲପୁର ଧନକୌଡା କୁ ଅପରାହ୍ନ ସାଢେ଼ ୨ଟା ସମୟରେ ଯାଉଥିବା ବେଳେ ବଡରମା ଘାଟିରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ସହ କଲେଜର ଏକ ବସ (ଓଡ଼ି ୧୭ ୭୫୭୨) ମୁହାଁମୁହିଁ ଧକ୍କା ହୋଇଥିଲା। ସୌଭାଗ୍ୟ ବଶତଃ ଉଭୟ ଗାଡ଼ି ମନ୍ଥର ଗତିରେ ଥିବା ଯୋଗୁଁ ଗାଦିରେ ବସିଥିବା ପ୍ରାୟ ୪୦ ରୁ ୪୫ଜଣ ଛାତ୍ରୀ ଛାତ୍ର ସୁରକ୍ଷିତ ହୋଇଗଲେ। ପରେ ଅନ୍ୟ ଏକ ବସରେ ଛାତ୍ରୀ ଛାତ୍ର ଙ୍କୁ ନେଇ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେଲେ। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଯାହା ବି କାର୍ଯ୍ୟକ୍ରମ ହେଉ ଏଭଳି ଛାତ୍ରୀ ଛାତ୍ରଙ୍କୁ ନେଇ କୌଣସି କାର୍ଯ୍ୟକ୍ରମରେ ଯୋଗଦାନ କରିବା ଅତି ନିନ୍ଦନୀୟ ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯଦି ଏହି ଦୁର୍ଘଟଣା ଅଧିକ ହୋଇଥାନ୍ତା ଆଉ ଛାତ୍ରୀ ଛାତ୍ରଙ୍କ ଜୀବନ ପ୍ରତି ବିପଦ ହୋଇଥାନ୍ତା, ତାହେଲେ କିଏ ଏହାର ଭରଣା ଦେଇଥନ୍ତା ବୋଲି ଅଭିଭାବକ ମାନେ ପ୍ରକାଶ କରୁଛନ୍ତି।
ଏସଂକ୍ରାନ୍ତରେ ବିଡ଼ିଓ ପ୍ରସନ୍ନ କୁମାର ପଟେଲ ଏବଂ କଲେଜ ଅଧକ୍ଷ ଅରୁଣ କୁମାର ପଟେଲଙ୍କୁ ଯୋଗାଯୋଗ କରି ପଚାରିବାରୁ ଛାତ୍ରିଛାତ୍ରଙ୍କ କିଛି ଅସୁବିଧା ହୋଇନଥିବା କଥା କହିଥିଲେ।