Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗାପାଲିରେ “ମୋ ମାଟି ମୋ ଦେଶ” ତ୍ରିରଙ୍ଗା ଯାତ୍ରା ଓ ବୀର ଜୱାନ୍ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ସମ୍ବଲପୁର : ଦେଶ ବ୍ୟାପୀ ଚାଲିଥିବା “ମୋର୍ ମାଏଟ୍ ମୋର୍ ଦେଶ୍” ଅଭିଯାନ୍ ପରିପ୍ରେକ୍ଷୀରେ ସମ୍ବଲପୁର ମହାନଗର ସ୍ଥିତ ଐତିହାସିକ ଗ୍ରାମ ଦୁର୍ଗାପାଲି ଠାରେ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତି ପକ୍ଷରୁ ଗତ ଶନିବାର ଅପରାହ୍ନରେ ତ୍ରିରଙ୍ଗା ଯାତ୍ରା, ମୋର୍ ମାଏଟ୍ ମୋର୍ ଦେଶ୍, ଅମୃତ କଳସ, ବୀର୍ ଜୱାନ୍ ସମ୍ମାନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି |
ସ୍ମୃତି ସମିତି ର ସଭାପତି ସଂସ୍କୃତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦେଶଭକ୍ତି କାର୍ଯ୍ୟକ୍ରମରେ ସମ୍ବଲପୁର ପୌର ପରିଷଦର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଗିରିଶ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଅନୀଲ କୁମାର ବେହେରା ଏବଂ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ବଳରାମ ସାହୁ ଯୋଗଦାନ କରିଥିଲେ | ମୁକ୍ତି ସଂଗ୍ରାମୀ ଙ୍କର ଜ୍ୟେଷ୍ଠପୁତ୍ର ଶ୍ରୀଯୁକ୍ତ କୀର୍ତ୍ତନ ମେହେର ଏବଂ ସାମାଜିକ କର୍ମୀ ଶ୍ରୀଯୁକ୍ତ ମୁନ୍ନା ତିୱାରୀ ମଞ୍ଚାସୀନ ହୋଇଥିଲେ |
ପ୍ରାରମ୍ଭରେ ଅତିଥି ବୃନ୍ଦ ଭାରତମାତା ଓ ମୁକ୍ତି ସଂଗ୍ରାମୀ ମାନଙ୍କ ଫଟୋଚିତ୍ର ମାନଙ୍କରେ ପୁଷ୍ପ ମାଲ୍ୟାର୍ପଣ, ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ସୁବେଦାର ମେଜର ଶ୍ରୀଯୁକ୍ତ ଶିବ ନାରାୟଣ ବେହେରାଙ୍କ ସମେତ ପାଞ୍ଚ ଜଣ ପୂର୍ବତନ ସେନା ଅଧିକାରୀ ବୀର ଜୱାନ୍ ଶ୍ରୀଯୁକ୍ତ ଜନାର୍ଦ୍ଦନ ମେହେର, ଶ୍ରୀଯୁକ୍ତ ଶିବ ଶମ୍ଭୁ ଯାଦବ, ଶ୍ରୀଯୁକ୍ତ ଜୟକୃଷ୍ଣ ପଟେଲ, ଶ୍ରୀଯୁକ୍ତ ଗୋଲକ ବିହାରୀ ମେହେରଙ୍କୁ ସ୍ମୃତି ସମିତି ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗିରିଶ ଭାଇ ପଟେଲ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ | ସଭାପତି ସଂସ୍କୃତି ରତ୍ନ ଶ୍ରୀଯୁକ୍ତ ବହିଦାର ସମସ୍ତଙ୍କୁ ପଞ୍ଚପ୍ରଣ ଶପଥ ପାଠ କରାଇଥିଲେ |
ସ୍ମୃତି ସମିତିର ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ଚାନ୍ଦ ଏବଂ ସହ ସମ୍ପାଦିକା ଶ୍ରୀମତୀ ଅନସୂୟା ସାମଲ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମ୍ପାଦିକା ଶ୍ରୀମତୀ ବବିତା ଦାସ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ |ସମସ୍ତେ ମନ ବଚନ ଓ କର୍ମରେ ଦେଶର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସଦା ସର୍ବଦା ତତ୍ପର ଏବଂ ପ୍ରଯତ୍ନଶୀଳ ହେବାପାଇଁ ବକ୍ତାମାନେ ନିଜ ନିଜ ଉଦବୋଧନରେ ନିବେଦନ କରିଥିଲେ।ହାଇସ୍କୁଲ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ମେହେର ନିଜ ବକ୍ତବ୍ୟରେ ସମ୍ବଲପୁରରେ ସ୍ବାଧୀନତା ସଂଗ୍ରାମର ଇତିହାସ ଉପରେ ଆଲୋକପାତ କରିଥିଲେ |
ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମେହେର ଙ୍କ ପବିତ୍ର ନିବାସରୁ ଅମୃତ କଳସରେ ବୀର ମାଟି ସଂଗ୍ରହ କରାଯାଇ ନୂଆଦିଲ୍ଲୀ କୁ ପଠେଇବା ପାଇଁ ମୁଖ୍ୟ ଅତିଥିଙ୍କ ହସ୍ତରେ ଅର୍ପଣ କରାଯାଇଥିଲା | ସର୍ବ ପ୍ରଥମେ ଶତାଧିକ ଛାତ୍ରଛାତ୍ରୀ, ବୀର ଜୱାନ, ଆବାଳ ବୃଦ୍ଧ ବନୀତା, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ହାତରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ଦୁର୍ଗାପାଲି ଗ୍ରାମ ପରିକ୍ରମା କରିଥିଲେ | ଭାରତ ମାତାଙ୍କ ଏବଂ ମୁକ୍ତି ସଂଗ୍ରାମୀ ବରପୁତ୍ର ମାନଙ୍କ ଜୟ ଧ୍ୱନୀରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା | ଶ୍ରୀଯୁକ୍ତ ଯୋଗେଶ୍ୱର ବନଛୋର, ଶ୍ରୀଯୁକ୍ତ ଜୟ ମଙ୍ଗଲ ସାହୁ, ଶ୍ରୀଯୁକ୍ତ ଚୈତନ୍ୟ ମେହେର, ଶ୍ରୀମତୀ ଶିବପ୍ରିୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ | ସାମୁହିକ ଜାତୀୟ ସଂଗୀତ ଗାନ ପରେ ଶ୍ରୀଯୁକ୍ତ ବାବୁଲୁ ଷଢ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ