କଳାହାଣ୍ଡି,୨୮/୦୯-କଳାହାଣ୍ଡି ଜିଲ୍ଲାକୁ ଭାଗ କରି ଧର୍ମଗଡ଼ ଏବଂ ଜୁନାଗଡ଼କୁ ଜିଲ୍ଲା ଭାବେ ଘୋଷଣା କରିବାକୁ ଉଭୟ ଅଞ୍ଚଳବାସୀ ନିଜ ନିଜ ଜିଦରେ ଅଟଳ ରହିଆସିଛନ୍ତି ! ଆଜି ଜିଲ୍ଲା ଦାବିକୁ ନେଇ ଧର୍ମଗଡ଼ ଅଞ୍ଚଳବାସୀଙ୍କ ଆନ୍ଦୋଳନ ମାସେ ପୁରିବାକୁ ବସିଥିବାବେଳେ ଜୁନାଗଡ଼ ଅଞ୍ଚଳବାସୀ ମଧ୍ୟ ଜିଲ୍ଲା ଜୁନାଗଡ଼କୁ ଜିଲ୍ଲା ଘୋଷଣା ଦାବିରେ ନଛୋଡ଼ବନ୍ଧା ! ଉଭୟ ସ୍ଥାନରେ ଗଠିତ କ୍ରିୟାନୁଷ୍ଠାନ କମିଟିକୁ ବିଭିନ୍ନ ସଂଗଠନର ସମର୍ଥନ ଏଇ ଆନ୍ଦୋଳନକୁ ଆହୁରି ତେଜୀୟାନ କରୁଥିବାବେଳେ ରାଜନୈତିକ ଦଳ ଓ ରାଜନୈତିକ ବ୍ୟକ୍ତିବିଶେଷମାନଙ୍କ ସମର୍ଥନ ଓ ବୟାନବାଜି ଏଇ ଆନ୍ଦୋଳନକୁ ଆହୁରି ରୋଚକ କରିଦେଇଛି ! ତେବେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡକୁ ପ୍ରଶାସନିକ ଦ୍ରୁଷ୍ଟିକୋଣରୁ ଜିଲ୍ଲା ଘୋଷଣା କରିବାକୁ ଧର୍ମଗଡ଼ ଅଞ୍ଚଳବାସୀ ଦାବି କରୁଥିବାବେଳେ ଜିଲ୍ଲାର ଐତିହାସିକ ସହର ଭାବେ ପରିଚିତ ଜୁନାଗଡ଼ ମଧ୍ୟ ଜିଲ୍ଲା ମାନ୍ୟତା ପାଇଁ ଉପଯୁକ୍ତ ବୋଲି ଜୁନାଗଡ଼ିଆ ଦାବି କରି ଆସୁଛନ୍ତି ! ଏପରି ପରିସ୍ଥିତିରେ ଜିଲ୍ଲା ମାନ୍ୟତା ଦାବି ଭଳି କଳାହାଣ୍ଡିର ମଦନପୁର ରାମପୁରକୁ ଉପଖଣ୍ଡ, ଲାଞ୍ଜିଗଡ଼, ନର୍ଲା, ଜୟପାଟଣାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିବାକୁ ମଧ୍ୟ ବିଭିନ୍ନ ସମୟରେ ଦାବି ହୋଇଆସୁଛି ! ତେବେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରୁ ନୂଆପଡ଼ା ଜିଲ୍ଲା ଭାଗ ହେବା ପରେ ବି ଭୌଗଳିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଉଭୟ ଜିଲ୍ଲାରେ ଯେଉଁ ପରିମାଣର ଉନ୍ନତି ହେବା କଥା ସେତିକି ହୋଇପାରିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ! ଏପରି ପରିସ୍ଥିତିରେ ଧର୍ମଗଡ଼ ଓ ଜୁନାଗଡ଼ ଉଭୟ ଜିଲ୍ଲା ମାନ୍ୟତା ପାଇଁ ଦାବିଦାର ସତ କିନ୍ତୁ ଏହାକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ସହମତି ହୋଇପାରିନାହିଁ ! ଯାହା, ଅତୀତର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ମନେ ପକାଇ ଦେଉଛି ! ପଶ୍ଚିମ ଓଡ଼ିଶାର ପାଞ୍ଚରୁ ଅଧିକ ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମାନ୍ତରାଳ ଆନ୍ଦୋଳନ ଚାଲିବା ଓ ସହମତି ପ୍ରକାଶ ପାଇନପାରିବା ଯୋଗୁଁ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଏବେ ଶୀତଳଭଣ୍ଡାରକୁ ଚାଲିଯାଇଛି ! ସେହିପରି ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ସମୟରେ ରାଜନୈତିକ ଓ ପ୍ରଶାସନିକ ସହମତି ପ୍ରକାଶ ନପାଇବାର ଫଳ ଆଜି ଜିଲ୍ଲାବାସୀ ଭୋଗୁଛନ୍ତି ! ଏଥିଯୋଗୁଁ ଜିଲ୍ଲା ଦୁଇଟି ବିଧାନସଭା ଆସନ ହରାଇଥିବାବେଳେ ନୂତନ ଭାବେ ଗଠିତ ଲାଞ୍ଜିଗଡ଼ ବିଧାନସଭା କ୍ଷେତ୍ର ରାଜ୍ୟର ଦୀର୍ଘତମ ଭୌଗଳିକ ପରୀସୀମା ବିଶିଷ୍ଟ ହୋଇଯାଇଛି ! ଏପରିକି ଜିଲ୍ଲାର କୌଣସି ନିର୍ବାଚନ ମଣ୍ଡଳୀ ସଠିକ୍ ପରିସୀମା ମଧ୍ୟରେ ରହିନପାରିବାରୁ ନିର୍ବାଚିତ ବିଧାୟକ, ଜନ ପ୍ରତିନିଧି, ପ୍ରଶାସନକୁ ବିଭିନ୍ନ ସମୟରେ ନାକେଦମ୍ ହେବାକୁ ପଡ଼ୁଛି ! ଏଣୁ ବର୍ତ୍ତମାନ ପରିସ୍ଥିତିରେ ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳବାସୀ ସହମତି ଭିତ୍ତିରେ ଜିଲ୍ଲା ମାନ୍ୟତା ଦାବି କରିବାର ଆବଶ୍ୟକତା ଦେଖାଦେଇଛି ! ଉଭୟ ଅଞ୍ଚଳବାସୀଙ୍କ ମଧ୍ୟରେ ସହମତି ପ୍ରକାଶ ନପାଇଲେ ଜିଲ୍ଲା ଦାବି ଆନ୍ଦୋଳନ ଯେ ଫସର ନଫାଟିବ ସେକଥା କିଏ କହିପାରିବ ? କାରଣ, ସମ୍ଭାବ୍ୟ ନିର୍ବାଚନ ପରିସ୍ଥିତିରେ ରାଜ୍ୟର ବିଜେଡି ସରକାର କେଉଁ ଗୋଟିଏ ଅଞ୍ଚଳବାସୀଙ୍କୁ ନିରାଶ କରିବାକୁ ଆଦୌ ଚାହିଁବନି ! ଏଣୁ ବର୍ତ୍ତମାନ ପରିସ୍ଥିତିରେ ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳବାସୀଙ୍କ ପାଇଁ ସହମତି ନଚେତ୍ ସହମତିଭିତ୍ତିକ ବିକଳ୍ପ ବ୍ୟବସ୍ଥା ହିଁ ଗ୍ରହଣୀୟ ହୋଇପାରିବ ବୋଲି କୁହାଯାଉଛି !