Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରେଣୀ ଗୃହରେ ତାଲା ପକାଇ ସ୍କୁଲରେ ଅବିଭାବକଙ୍କ ଧାରଣା,ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

କଳାହାଣ୍ଡି, ୧୧/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବ ରହିଛି। ଏନେଇ ଶ୍ରେଣୀ କୋଠରୀ ଅଦୁଦାନ ସହ ନୂତନ ଗୃହ ପାଇଁ ସୋମବାର ଠାରୁ ଚାଲିଥିବା ସ୍କୁଲ ପରିଚାଳନା କମିଟି ଓ ଅବିଭାବକଙ୍କ ଧାରଣା ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ମଙ୍ଗଳବାର ପ୍ରତ୍ୟାହାର ହୋଇଛି।
ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୮ଟି ଶ୍ରେଣୀରେ ସମୁଦାୟ ୧୭୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ସେମାନେ ଦୁଇଟି ଶ୍ରେଣୀ କୋଠରୀ ଓ ଏକ ସିଆରସିସି ଗୃହରେ ଦିର୍ଘ ବର୍ଷରୁ ପାଠ ପଢି ଆସୁଛନ୍ତି। ଅନ୍ୟପଟେ ସେହି କୋଠରୀ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। ବର୍ଷା ଦିନେ ଛାତରୁ ପାଣି ଝରିବା ସହ ଅନେକ ସମୟରେ ସିମେଣ୍ଟ ଅତଡ଼ା ଧସୁଛି। ତେଣୁ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ବିପଦ ରହିଥିବାରୁ ପିଲାଙ୍କୁ ଅବିଭାବକ ମାନେ ସ୍କୁଲ ପଠାଇବା ପାଇଁ ମଧ୍ୟ ଭୟ କରୁଛନ୍ତି। ଏନେଇ ବିଭିନ୍ନ ସମୟରେ ଶ୍ରେଣୀ ଗୃହ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଅବିଭାବକ ଓ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ। ଶେଷରେ ବାଧ୍ୟହୋଇ ସୋମବାର ଠାରୁ ସ୍କୁଲ କୁ ତାଲା ପକାଇ ଛାତ୍ରଛାତ୍ରୀ, ଅବିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦେଇଥିଲେ। ପ୍ରଥମ ଦିନରେ ସିଆରସିସି, ଏବିଇଓ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଅବିଭାବକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା। ଏବଂ ଅବିଭାବକ ମାନେ ନିଜ ଜିଦ୍ ରେ ଅଟଲ ରହିଥିଲେ। ଆଜି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବିଦ୍ୟାଳୟରେ ପହଞ୍ଚି ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ଏବଂ ସାଂସଦ ପାଣ୍ଠିରୁ ୪ଲକ୍ଷ ଅନୁଦାନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ନିଷ୍କର୍ଷ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିବ ବୋଲି ଯିଦ ଧରିଥିଲେ। ଏହାପରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ ପହଞ୍ଚି ଶ୍ରେଣୀ କୋଠରୀ କୁ ଦେଖି ସେମାନେ ମଧ୍ୟ ଅସୁରକ୍ଷିତ ମଣିଥିଲେ। ଏହାପରେ ଦୀର୍ଘ ସମୟ ଧରି ଆନ୍ଦୋଳନରତ ଅବିଭାବକ ମାନଙ୍କ ସହିତ ଆଲୋଚନା କରିବା ବୁଝାସୁଝା କରିଥିଲେ। ଜମି ବିବାଦ ଥିବାରୁ ସ୍ଥାନ ନିରୁପଣ କରିବା ପାଇ ତହସିଲଦାରକୁ ସାକ୍ଷାତ କରିବା ପାଇଁ କହିଥିଲେ। ଏବଂ ଏସିଆର ପାଣ୍ଠିରୁ ଅନୁଦାନ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପଞ୍ଚାୟତ ପକ୍ଷରୁ ମଧ୍ୟ ବିଭିନ୍ନ ପାଣ୍ଠିରୁ ୮ ଲକ୍ଷ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ସ୍କୁଲ ରୁ ତାଲା ଖୋଲିବା ସହିତ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ଅବିଭାବକ ଓ ଗ୍ରାମବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ