Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆମ ଓଡିଶା ନବୀନ ଓଡିଶା ର ବିକାଶ ଠାରୁ ବହୁ ଦୂରରେ ପରମପଙ୍ଗା ପଞ୍ଚାୟତର ତିନୋଟି ଗ୍ରାମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସଂସୃତିର ପ୍ରସାର ଓ ଆଧୁନିକ ଭିର୍ତ୍ତି ଭୂମିର ଉନ୍ନତି ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଅନେକ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ନା ଅଛି ରାସ୍ତା, ନା ପାନୀୟ ଜଳ ଓ ବିଦ୍ୟୁତ ଆଲୋକ । ବର୍ତ୍ତମାନ ସୁଦ୍ଧା ପକ୍କା ରାସ୍ତା ଦେଖି ନାହାନ୍ତି । ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ତିନି ଗାଁ ଉଡ୍ରାପାଙ୍ଗା, ଟିଟମାହା ଓ କିଲ୍ଲାପଡା ରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ତିନି ଗ୍ରାମରେ ୪୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ପରମପାଙ୍ଗା ପଞ୍ଚାଯତରୁ ଠାରୁ ମାତ୍ର ତିନି କିମି ଦୂରରେ ଏହି ୩ ଗାଁ ଅବସ୍ଥିତ । ପକ୍କା ରାସ୍ତା ନଥ‌ିବାରୁ ଲୋକମାନେ ପ୍ରତିଦିନ ଘଞ୍ଚ ଜଙ୍ଗଲ , ପାହାଡିଆ, ପଥୁରିଆ ଓ ଅଙ୍କାବଙ୍କା ରାସ୍ତାରେ ଯାତାୟାତ କରିଥାନ୍ତି । ବର୍ଷା ଦିନର କଥା ନ କହିବା ଭଲ। ବର୍ଷା ହେଲେ ରାସ୍ତା ସାରା ପାଣି ଜମିବା ସହ କାଦୁଅ ପଚପଚ ରେ ଯାତାୟାତ କରିଥାନ୍ତି । ଉଡ୍ରାପାଙ୍ଗା ରାସ୍ତା ଦେଇ ଏକ ନାଳ ଯାଇଛି। ଏହି ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ଦାବି ପରେ ବ୍ଲକ ପ୍ରଶାସନ ତରଫରୁ ପୋଲ ତିଆରି ହେଲା। କିନ୍ତୁ ନାଳ ଉପରେ ନୁହେଁ ଏକ ଶୁଖୁଲା ସ୍ଥାନରେ ହୋଇଥିବାରୁ ତାହା ବ୍ୟବହାର ହୋଇନପାରି ଅଯଥାରେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେଣୁ ଗାଁ ବାସୀ ପୂର୍ବଭଳି ଯାତାୟାତ କରୁଛନ୍ତି। ତିନି ଗ୍ରାମରେ ବିଦ୍ୟାଳୟ ନଥିବାରୁ ପିଲାମାନେ ବିପଦ ସଙ୍କୁଳ ରାସ୍ତାରେ ୩ କିମି ଚାଲିଚାଲି ପରମପଙ୍ଗା ବିଦ୍ୟାଳୟ ରେ ପାଠ ପଢୁଛନ୍ତି । ବର୍ଷା ଓ ଖରା ଦିନରେ ପିଲାମାନ ବିଦ୍ୟାଳୟ ଯାଇପାରିନଥାନ୍ତି। କେବଳ ଶୀତ ଦିନରେ ହିଁ ପିଲାମାନେ ସ୍କୁଲ ଯାଉଥିବା କହିଛନ୍ତି। ଗ୍ରାମରେ ହଠାତ କାହାର ଦେହ ଖରାପ କିମ୍ବା ଗର୍ଭବତୀଙ୍କୁ ୩କିମି ରାସ୍ତା ଖଟିଆ କିମ୍ବା ଦୋଳାରେ ବୁହାହୋଇ ଅଣାଯିବା ପରେ ପରମପାଙ୍ଗାଠାରୁ ଆମ୍ବୁଲାନ୍ସ କିମ୍ବା ଗାଡି ସହାୟତାରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥାଏ। ରାତିରେ କେହି ଅସୁସ୍ଥ ହେଲେ ଗାଁରେ ହିଁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ଗ୍ରାମରେ ପାନୀୟ ଜଳ କଣ ଜାଣିନାହାନ୍ତି ।ବସୁଧା ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ବେଳେ ନଳକୂଅରୁ ବାହାରୁଛି ଗୋଳିପାଣି। ଗାଁ ମଝିରେ ପ୍ରବାହିତ ନାଳରୁ ରାତି ପାହିଲେ ଅଞ୍ଚଳବାସୀ ବାଲତି, ମାଠିଆ ଓ ଗରାରେ ପାଣି ଆଣୁଛନ୍ତି । ବର୍ଷା ଦିନରେ ନାଳରେ ପ୍ରବଳ ପାଣି ଆସୁଥିବାରୁ ଲୋକେ ବାଧ୍ୟ ହୋଇ ଘରର ଟିଣ ଓ ଛପର ଦେଇ ଆସୁଥ‌ିବା ବର୍ଷାପାଣି ବ୍ୟବହାର କରୁଛନ୍ତି । ଦୃଷିତ ଜଳ ବ୍ୟବହାର କରି ଗ୍ରାମବାସୀ ମାନେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି । ଖରାଦିନରେ ଚୁଆଁ ଶୁଖିଗଲେ ପାଣି ଟୋପାଏ ପାଇଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଓ ପାନୀୟ ଜଳ ନିମନ୍ତେ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ଗୁହାରି କରାଯାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ନେତାମାନେ ପହଞ୍ଚି ବହୁ ପ୍ରତିଶୃତି ଦେଉଛନ୍ତି, କିନ୍ତୁ ପରେ କିଛି ହେଉନି ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ। ଏ ସମ୍ପର୍କ ରେ ବାଲିଗୁଡା ବ୍ଲକ ବିଡ଼ିଓ ଅଚ୍ୟୁତା ନନ୍ଦ ଜାନି ଙ୍କୁ ପଚାରିବାରୁ ସେ, କହିଥିଲେ ଯେ, ଉକ୍ତ ତିନୋଟି ଗ୍ରାମର ସମସ୍ତ ଅଭାବ ଅସୁବିଧା ସମସ୍ୟା ସମ୍ପର୍କରେ ଏଷ୍ଟିମେଟ କରାଯାଇ ପଠାଯାଇଛି, ଆସିବା ପରେ ନିଶ୍ଚୟ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ତିନି ଗ୍ରାମର ବିକାଶ ଦିଗରେ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାଵୀ କରିଛନ୍ତି ।