ରୋହିତ ଓ ବିରାଟଙ୍କୁ ଟି-୨୦ ବିଶ୍ଵକପ୍ ଖେଳିବା ଉଚିତ୍: ଓ୍ଵାସିମ ଆକ୍ରମ


ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ କ୍ରିକେଟର ଓ୍ଵାସିମ ଆକ୍ରମଙ୍କ ମତରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲିଙ୍କୁ ଆଗାମୀ ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବା ଉଚିତ୍। ଉଲ୍ଲେଖନୀୟ ରୋହିତ ଓ ବିରାଟ କୋହଲିଙ୍କ ଟି-୨୦ କ୍ୟାରିୟରକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ଟି-୨୦ ବିଶ୍ଵକପ୍ ୨୦୨୨ ସେମି ଫାଇନାଲ୍ ପରଠୁ ଏହି ଦୁଇ ବରିଷ୍ଠ କ୍ରିକେଟର ଏହି ଫର୍ମାଟରୁ ଗାଏବ ଅଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୩ରେ ଟି-୨୦ ଅନ୍ତର୍ଜାତୀୟରେ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି। ଉଲ୍ଲେଖନୀୟ ଆଗାମୀ ଟି-୨୦ ବିଶ୍ଵକପ୍ ୨୦୨୪ ଜୁନ ମାସରେ ଖେଳାଯିବ।

ଓ୍ଵାସିମ ଆକ୍ରମନ ସ୍ପୋର୍ଡ୍ସକିଡା ସହ ଆଲୋଚନା ବେଳେ କହିଛନ୍ତି, ଟି-୨୦ ବିଶ୍ଵକପକୁ ଆଉ କିଛି ମାସ ବାକି ରହିଛି। ମୁଁ ନିଶ୍ଚିତ ରୂପେ ଏହି ଦୁଇ ବ୍ୟାଟରଙ୍କୁ ଦଳରେ ରଖିବି। ଏହି ଦୁଇ ଖେଳାଳି ଭାରତ ପାଇଁ ମୁଖ୍ୟ ଖେଳାଳି ରହିବେ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ଟି-୨୦ରେ ଆପଣଙ୍କୁ କିଛି ଅନୁଭବର ଆବଶ୍ୟକତା ରହିଛି। ଆପଣ କେବଳ ଯୁବ ଖେଳାଳିଙ୍କ ଭରସାରେ ଚାମ୍ପିଅନ ହୋଇ ପାରିବେ ନାହିଁ। ଉଲ୍ଲେଖନୀୟ ରୋହିତ ଶର୍ମା ୧୪୮ ଟି-୨୦ ମ୍ୟାଚରେ ୩୮୫୩ ରନ କରିଛନ୍ତି। ଏଥିରେ ୪ ଶତକ ଓ ୨୯ ଅର୍ଦ୍ଧଶତକ ସାମିଲ। ବିରାଟ କୋହଲି ୧୧୫ ମ୍ୟାଚରେ ୪୦୦୮ ରନ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଓ ୩୭ ଅର୍ଦ୍ଧଶତକ ସାମିଲ୍।

ରୋହିତ ଶର୍ମା ଟି-୨୦ ଇତିହାସର ସବୁଠୁ ଅନୁଭବୀ ଖେଳାଳି। ୧୪୮ଟି ମ୍ୟାଚ୍ ଖେଳିଥିବା ରୋହିତ ଶର୍ମା ଟି-୨୦ର ସମସ୍ତ ୮ ବିଶ୍ଵକପ୍ ସଂସ୍କରଣ କରିଛନ୍ତି। ଏଥିରୁ ରୋହିତ ୨୦୦୭ ଟି-୨୦ ବିଶ୍ଵକପ୍ ବିଜେତା ଦଳର ସଦସ୍ୟ। ଭାରତୀୟ ଦଳର ପୂର୍ବତନ ଅପନର ଗୌତମ ଗମ୍ଭୀର କହିଛନ୍ତି, ରୋହିତ ଶର୍ମାଙ୍କୁ ଟି-୨୦ ବିଶ୍ଵକପରେ କେବଳ ବ୍ୟାଟର ନୁହେଁ ଅଧିନାୟକ ଭାବେ ଦଳର ନେତୃତ୍ଵ ନେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି, ରୋହିତ ଓ ବିରାଟ ଦୁଇ ଖେଳାଳିଙ୍କୁ ଦଳରେ ଆବଶ୍ୟକତା ରହିଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ ମୁଁ ରୋହିତଙ୍କୁ ଟି-୨୦ ବିଶ୍ଵକପରେ ଅଧିନାୟକ ଭାବେ ଦେଖିବାକୁ ଚାହୁଁଛି ବୋଲି ଗମ୍ଭୀର କହିଛନ୍ତି।