ଭାଲୁ ଆକ୍ରମଣରେ ୨ଗୁରୁତର, ବୁର୍ଲକୁ ସ୍ଥାନାନ୍ତର


ଜମନକିରା : ପ୍ରଭାସୁଣୀ ସଂରକ୍ଷିତ ଜଙ୍ଗଲକୁ ଶୁକ୍ରବାର ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ସମୟରେ ଜଙ୍ଗଲି ଭାଲୁ ଆକ୍ରମଣରେ ବର୍ହାମୁଣ୍ଡି ଗ୍ରାମର ଦୁଇଜଣ ବ୍ଯକ୍ତି ଗୁରୁତର ଆହତ ହୋଇଛନ୍ତି।କୁଚିଣ୍ଡା ଉପଖଣ୍ଡ ମେଡିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମସାର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଆହତ ମାନେ ହେଲେ ଟିକିଲିପଡା ପଞ୍ଚାୟତ ବର୍ହାମୁଣ୍ଡି ଗ୍ରାମର ଜେରା କିଷାନ(୬୦) ଓ ପରେଶ ମାଝି (୫୮)। 
 ସୂଚନା ଅନୁଯାୟୀ ଜମନକିରା ଫରେଷ୍ଟ ସେକ୍ସନ ଅଧିନସ୍ଥ ପ୍ରଭାସୁଣୀ ସଂରକ୍ଷିତ ଜଙ୍ଗଲକୁ ଶୁକ୍ରବାର ଅପରାହ୍ନରେ ଜାଳେଣି କାଠ ସଂଗ୍ରହ ପାଇଁ ଜେରା ଓ ପରେଶ ଯାଇଥିଲେ।କାଠ ସଂଗ୍ରହ କରୁଥିବା ସମୟରେ ହଠାତ ଏକ ଜଙ୍ଗଲି ଭାଲୁ ଜେରା କିଷାନଙ୍କୁ ଆକ୍ରମଣ କରିଥିଲା।ଜେରା ଚିତ୍କାର କରିବାରୁ ପରେଶ ଦୌଡି ଆସି ଛଡାଇବାକୁ ଉଦ୍ୟମ କରିବା ବେଳେ ସେ ମଧ୍ଯ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।ଭାଲୁ ଆକ୍ରମଣରେ ଜେରାଙ୍କ ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ ପରେଶଙ୍କ ଛାତି ଓ ଗୋଡରେ ଆଘାତ ଲାଗିଛି।ଖବରପାଇ ଫରେଷ୍ଟର ସୁନୀତା ନାୟକ ବର୍ହାମୁଣ୍ଡି ଗ୍ରାମକୁ ଯାଇ ଆହତ ଦ୍ବୟଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲକୁ ଆଣିଥିଲେ। ସରକାରଙ୍କ ବ୍ୟବସ୍ଥା ମୁତାବକ ଆହତ ଦ୍ବୟଙ୍କୂ ସହାୟତା କରାଯିବ ବୋଲି ଫରେଷ୍ଟର ଶ୍ରୀମତୀ ନାୟକ କହିଛନ୍ତି।                       

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।