Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀର ଛବିଳ ସାଏ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା:କୁଦୋପାଲି ହେବ ଜାତୀୟ ସ୍ତରର ପ୍ରେରଣାର ତୀର୍ଥ କ୍ଷେତ୍ର- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କୁଦୋପାଲି):ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ । ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କୁଦୋପାଲିକୁ ଏକ ଜାତୀୟ ସ୍ତରର ରମଣୀୟ ପ୍ରେରଣାର ତୀର୍ଥ କ୍ଷେତ୍ର ଭାବରେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବୀର ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସ ପାଳନ କରୁଥିବାରୁ ସ୍ଥାନୀୟ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି । ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି ।
ସେହିଭଳି ଭାବେ ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ଆଜି ମଧ୍ୟ ଲୋକମୁଖରେ ଉଚ୍ଚାରିତ ହୁଏ, “ଉଲି… ଉଲି… ଉଲି…, ଛବିଲ୍ ସାଏ ଦିହେ ବାଜଲା ଗୁଲି, କୁଦୋପାଲିର୍ ମଝା ଖୁଲି” । ଏହା ଲୋକ ଅଭିବ୍ୟକ୍ତି ଓ କୁଦୋପାଲି ଅଞ୍ଚଳର ସ୍ୱାଭିମାନର ବଡ ପରିଚୟ । ଆଇସିଏଚଆର ଆନୁକୂଲ୍ୟରେ ଏହି ଘଟଣାବଳୀର ଗବେଷଣା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦିଆଯିବ । କୁଦୋପାଲି ଗାଁର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଭୂମିର ସୁରକ୍ଷା ପାଇଁ ଉଦନ୍ତ ସାଏ, ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ ଓ ହଟେ ସିଂହଙ୍କ ଅବଦାନ ଅତୁଳନୀୟ । ୧୮୫୭ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢିଥିଲା । ଏହି ସଂଗ୍ରାମୀଙ୍କ ତ୍ୟାଗ ପାଇଁ ଆଜି ଆମ ଦେଶ ଭାରତ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଭାରତର ଯୁବକଙ୍କ ପରିଶ୍ରମ ବଳରୁ ଆମ ଦେଶ ଗୌରବର ଅର୍ଜନ କରିଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କୁ ସ୍ମୃତିଚାରଣ କରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବା ସହ ମଶାଲ ଜାଳିଥିଲେ । ମା’ ଓ ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ କଲେ, ଫାଶୀ ଦଣ୍ଡ ପାଇଲେ ସେହି ରଣଭୂମି କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସେ କହିଥିଲେ ଓଡ଼ିଆ ଜାତି ସାହସୀ । ପାଇକ ବିଦ୍ରୋହ ତା’ର ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଆ ଜାତି କେବେ ପରାଧୀନତାକୁ ସ୍ୱୀକାର କରିନାହିଁ । ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ । ଦେଶକୁ ନିର୍ମାଣ କରିବାକୁ ହେବେ ଜାତିପ୍ରେମର ଆବଶ୍ୟକତା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।
ରଣଭୂମୀ କୁଦୋପାଲିର ବୀର ଗାଥାକୁ ସାର୍ବଜନୀନ ଓ ଜନାଦୃତ କରିବାକୁ ବୀର ଛବିଳ ସାଏ ସ୍ମୃତି କମିଟି,କୁଦୋପାଲି ପକ୍ଷରୁ ରଣଭୂମି କୁଦୋପାଲି ଠାରେ ଆଜି ବୀର ଛବିଳ ସାଏ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ,ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ସଭାରେ କମିଟିର ମୂଖ୍ୟ ଆବାହକ ଜୟବ୍ରତ ଦେ ଶ୍ରଦ୍ଧାଞ୍ଜଳି ସଭାର ଉଦ୍ଦେଶ୍ଯ ସଂପର୍କରେ କହିଥିବା ବେଳେ କମିଟି ଅଧ୍ୟକ୍ଷ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କମିଟି ଉପାଧ୍ୟକ୍ଷ ଗିରିଶ ପଟେଲ ମଞ୍ଚାସୀନ ଥିଲେ।ଏହି ଅବସରରେ ରଣଭୂମି କୁଦୋପାଲିର ବୀର ଗାଥା ସ୍ମରଣିକାକୁ ମାନ୍ୟବର ଅତିଥିମାନଙ୍କ କରକମଳରେ ଉଦଘାଟନ କରାଯାଇଥିଲା । ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କୁଦୋପାଲି ବୀର ସୁରେନ୍ଦ୍ର ସାଏ ଛକରେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିନ୍ଦୁରପଙ୍କ ଛକରେ ସ୍ୱାଗତ କରାଯାଇ ରଣଭୂମି ପୀଠକୁ ଅଣାଯାଇ ସେଠାରେ ୫୭ ଜଣ ବୀର ଶହୀଦଙ୍କ ମଶାଳରେ ଭାଗ ନେବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ କମିଟି ଉପାଧ୍ୟକ୍ଷ ଲକ୍ଷ୍ମଣ ଦେହୂରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ କମିଟିର ସଂଯୋଜକ ଚନ୍ଦ୍ର ଶେଖର ପଣ୍ଡା, କିଶୋର ମହାକୁଡ,ପ୍ରଦୀପ ସୂପକାର,ସରୋଜ ଗଢାଇ,ଭବାନୀ ଶଙ୍କର ସୋହେଲା, ସାନୁର୍ଜୟ ଡନସେନା,ଶ୍ୟାମଳ ବିଶ୍ୱାସ,ଗଣେଷ ମିର୍ଦ୍ଧା,ସୁଦାମ ସେଠ,ପ୍ରକାଶ ସାହୁ,ପ୍ରଦ୍ୟୁମ୍ନ ସେଠ,ମନିକର ସାହୁ ଓ ଡାକ୍ତର ରାଜାରାମ ଷଡଙ୍ଗୀ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବାରିବନ୍ଧର ଜମୁନା ବିଶ୍ୱାଳଙ୍କ କୃଷ୍ଣଗୁରୁ ଟିମ ସହିତ ଅନ୍ୟମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ମାଁ ସମଲେଶ୍ବରୀ ପୀଠରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ରଣଭୂମି କୁଦୋପାଲିରେ ପହଞ୍ଚିଥିଲା।ଏଥିରେ ସମଗ୍ର ସହର ଓ କୁଦୋପାଲି ତଥା ଆଖପାଖ ଅଞ୍ଚଳର ବହୁ ଯୁବ ସମାଜ ଯୋଗଦେଇ ଦେଶପ୍ରେମର ଉଦାହରଣ ତୋଲିଥିଲେ।