ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା କ୍ଷେତ୍ରରେ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ଶିକ୍ଷକଙ୍କ ସନ୍ତାନଙ୍କୁ ଅବହେଳା


ବେଲଗୁଣ୍ଠା,10/01,ପୂର୍ବରୁ ବହୁ ପଂଚାୟତରେ ସରକାରୀ ଉଚ୍ଚ ବିଦ୍ୟାଳୟ ନଥିବ ବେଳେ ଗ୍ରାମାଞ୍ଚଳ ଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ବିଦ୍ୟାଳୟ ପାଠ ପଢାର ସୁବିଧା ସୁଯୋଗ ପ୍ରଦାନ ପାଇଁ ଗଢ଼ି ଉଠିଥିଲା କିଛି ଘରୋଇ ଉଚ୍ଚ ବିଦ୍ୟାଳୟ I କାଳକ୍ରମେ ଏହା ବ୍ଳକ୍ ଗ୍ରାଣ୍ଟ୍ ଉଚ୍ଚ ବିଦ୍ୟାଳୟ ଏବଂ ପରେ ପରେ ଅନୁଦାନ ପ୍ରାପ୍ତ ଏବଂ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଭାବରେ ନାମିତ ହୋଇଛି I ଏହି ବିଦ୍ୟାଳୟ ଗୁଡିକରୁ ହଜାର ହଜାର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଢି ପାରିଥିବା ବେଳେ ବିଦ୍ୟାଳୟ ଗୁଡିକରେ ଖୁବ୍ ଅଳ୍ପ ପାରିଶ୍ରମିକରେ କାର୍ଯ୍ୟକରୁଥିବା ଶିକ୍ଷକ କର୍ମଚାରୀ ଏବଂ ସେମାନଙ୍କ ସନ୍ତାନ ମାନଙ୍କ ଭବିଷ୍ୟତ କିନ୍ତୁ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି I ଏହାର ଶିକ୍ଷକ କର୍ମଚାରୀ ମାନେ ବର୍ଷା ବର୍ଷ ଧରି ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ କ୍ଷେତ୍ରରେ ଅବହେଳାର ଶିକାର ହୋଇ ଆସୁଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନମ ଲେଖା କ୍ଷେତ୍ରରେ ସେମାନଙ୍କ ପିଲାଛୁଆ ମଧ୍ୟ ଅବହେଳାର ଶିକାର ହେବା ବିଡ଼ମ୍ବନାର ବିଷୟ ପାଲଟିଛି I ସୂଚନା ପ୍ରକାରେ ସରକାରୀ ନିୟମ ଅନୁସାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁ୍ଥିବା ଗଣ ଶିକ୍ଷକ, ଶିକ୍ଷା ସହାୟକ ଏବଂ ଠିକା ଶିକ୍ଷକଙ୍କ ପୁଅ ଝିଅଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି I କିନ୍ତୁ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୁଅ ଝିଅ ଏଥିରୁ ସଂପୂର୍ଣ୍ଣ ବଞ୍ଚିତ ହେଉଛନ୍ତି I ଏନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ଯ ପ୍ରକଳ୍ପ ନିର୍ଦ୍ଦେଶକ l,ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗଙ୍କ ପତ୍ରାଙ୍କ-306/16-03-2016ରେ ଏକ ନିର୍ଦ୍ଦେଶାନାମା ଜାରେ କରିଛନ୍ତି I ଯାହା ଅନୁଦାନ ପ୍ରାପ୍ତ ବିଦ୍ୟାଲୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ହତୋତ୍ସାହିତ କରିବା ସହିତ ସେମାନଙ୍କ ସନ୍ତାନ ସନ୍ତତିଙ୍କ ମାଧ୍ୟରେ ଅସମାନତା ସୃଷ୍ଟି କରୁଛି I ତେଣୁ ବିଭିନ୍ନ ସ୍ଥାନରେ ବ୍ଳକ୍ ଗ୍ରାଣ୍ଟ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପୁରୁଣା ଚିଠିକୁ ସଂଶୋଧନ କରିବା ସହିତ ଗଣଶିକ୍ଷକ, ଶିକ୍ଷା ସହାୟକ ଏବଂ ଠିକା ଶିକ୍ଷକଙ୍କ ପୁଅ ଝିଅ ଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନମ ଲେଖ କ୍ଷେତ୍ରରେ ସେମାନଙ୍କ ପୁଅ ଝିଅଙ୍କୁ ମଧ୍ୟ ସମାନ ଅଧିକାର ପ୍ରଦାନ କରିବା ପାଇଁ ଦାବି କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ରେ ଗାଙ୍ଗପୁର, ଡେଙ୍ଗାପଦର,ବେଣୀପଲ୍ଲୀ ,ଘୂ. ନୂଆଁ ଗାଁ ଆଦି ଗ୍ରାମରେ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ଏହି ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୁଅ ଝିଅ ମଧ୍ୟ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା କ୍ଷେତ୍ରରେ ଅବହେଳାର ଶିକାର ହେଉଥିବା ବେଳେ ଏହି ଶିକ୍ଷକ କର୍ମଚାରୀ ସରକାରରଙ୍କ ନିୟମକୁ ନାପସନ୍ଦ କରି ଏହାର ସଂଶୋଧନ ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି I

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।