Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ କୌଶଳ ମହୋତ୍ସବ :ଯୁବବର୍ଗଙ୍କୁ ରୋଜଗାର ଦେଇ ସ୍ୱପ୍ନ ପୂରଣ କରୁଛି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଏନଏସଡିସି ଦ୍ୱାରା ଆୟୋଜିତ କୌଶଳ ମହୋତ୍ସବ(ରୋଜଗାର ମେଳା) ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କର ସ୍ୱପ୍ନ ପୂରଣ କରୁଛି ବୋଲି ସମ୍ବଲପୁର ଜିଲ୍ଲାର ଧାନକଉଡ଼ା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁର କୌଶଳ ମହୋତ୍ସବରେ ସାହୀ ଏକ୍ସପୋର୍ଟ, ଏଲ ଆଣ୍ଡ ଟି ଫାଇନାନ୍ସ, ରିଲାଇନ୍ସ ଜିଓ କମ୍ପାନୀ ସହ ବ୍ୟାଙ୍କିଂ, ଇଲେକ୍ଟ୍ରୋନିକ୍ସ, ଆଇଟି, ମ୍ୟାନେଜମେଣ୍ଟ, ମାଇନିଂ, ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ଚୟନ ହୋଇଥିବା ୧୦୯୫ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମେତ ଦେଶର ଦକ୍ଷ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ସେକ୍ଟରରେ ରୋଜଗାର ପ୍ରଦାନ କରିବା ଲକ୍ଷ୍ୟରେ ଆୟୋଜିତ ଏହି ରୋଜଗାର ମେଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଯୁଗରେ ଡିଗ୍ରୀ ଭଳି ଦକ୍ଷତା ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ଆଗକୁ ନେବା ପାଇଁ ହେଲେ ଯୁବବର୍ଗଙ୍କୁ ଦକ୍ଷ କରିବା ଜରୁରୀ । ଦକ୍ଷତା ବଢିଲେ ହିଁ ଆମର ପିଲାମାନେ ଉଦ୍ୟୋଗୀ ହେବେ ଏବଂ ଦେଶରେ ରୋଜଗାର ହ୍ରାସ ପାଇବ । ଏ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ କୁଶଳ ପ୍ରବନ୍ଧନ କାରଣରୁ ଦେଶରେ ନୂଆ ରୋଜଗାର ତିଆରି ହେଉଛି ।
ଏହି ଉତ୍ସବରେ ନିଯୁକ୍ତି ପାଇଥିବା କିଛି ପ୍ରାର୍ଥୀଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁରର ଖୁସି ସାହୁ, ତନୁ ସୋନିଙ୍କ ସମେତ ଦିବ୍ୟାଙ୍ଗ ସୁଧୀର କୁମାର ସାହାଣୀ, ଗଞ୍ଜାମର ସ୍ମୃତିଶ ରଞ୍ଜନ ପଣ୍ଡା ଏବଂ ବଲାଙ୍ଗୀରର ଶିବୁ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ଏହିଭଳି ଯୁବ ପ୍ରତିଭାମାନେ ଆଜି ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସେକ୍ଟରରେ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରେ କାମ କରିବା ନେଇ ଥିବା ଏକାଗ୍ରତା ଓ ଇଚ୍ଛାଶକ୍ତିକୁ ପ୍ରଶଂସା କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସୁଧୀରଙ୍କ ପରି ଦିବ୍ୟାଙ୍ଗ ପିଲା ମାନେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ବଢାଇବା ପାଇଁ ରୋଜଗାର ମେଳାର ଆୟୋଜନ । ସେମାନଙ୍କୁ ସମ୍ମାନ ଓ ସ୍ୱାଭିମାନ ସହକାରେ ଜୀବନ ବଞ୍ଚିବା ପାଇଁ ବାଟ ଦେଖାଇଛି । ଯେଉଁ ରାଜ୍ୟରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ଭଳି ମନ୍ଦିର ନିର୍ମାଣ ହୁଏ, ସୂକ୍ଷ୍ମ ସମ୍ବଲପୁରୀ ବସ୍ତ୍ର ତିଆରି ହୁଏ, ସେହି ରାଜ୍ୟରେ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବହୁତ ଅଛି । ଏହାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାବାସୀଙ୍କୁ ସମ୍ମାନର ସହ ବଞ୍ଚିବାର ନେତୃତ୍ୱ ନେଉଛନ୍ତି । ସ୍କିଲ୍ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ଯୁବକଙ୍କୁ ଆତ୍ମନିର୍ଭର ଓ ସ୍ୱାଭିମାନ କରିବା ପାଇଁ ନରେନ୍ଦ୍ର ମୋଦିଙ୍କର ଅଭିନବ ଉପକ୍ରମ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ବିଭିନ୍ନ ଯୋଜନା ମାଧ୍ୟମରେ ସାଧାରଣ ଘରର ଯୁବବର୍ଗଙ୍କୁ ସ୍କିଲିଂ କରିବା ସହ ଉଦ୍ୟମିତା ସହ ଯୋଡିବା ପାଇଁ ସର୍ବଦା ପ୍ରୟାସରତ । ଜାତୀୟ ଶିକ୍ଷା ନୀତିରେ କୌଶଳକୁ ସ୍କୁଲ ପାଠପଢାର ବିଷୟ ଭାବରେ ଗ୍ରହଣ କରାଯିବା ସହ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟ୍ ଭଳି ପଦକ୍ଷେପ ନିଆଯାଇଛି । ରୋଜଗାର ସହ ପାଠପଢାର ବ୍ୟବସ୍ଥା ହୋଇଛି । କାମ କରିବାର ଅନୁଭବକୁ କ୍ରେଡିଟ୍ ଦିଆଯାଇଛି । ସ୍କୁଲରେ ରୋବୋଟିକ ପାଠ ପଢାଇବାର ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ପିଲା ମାନଙ୍କର କ୍ୟାରିୟରରେ ଅଭିବୃଦ୍ଧି ହେବ । ଏହି ସବୁ ପଦକ୍ଷେପ ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ । ସବୁ ଯୁବବର୍ଗଙ୍କ ଆକାଂକ୍ଷା ଓ ଭବିଷ୍ୟତର ସ୍ୱପ୍ନକୁ ପୂରଣ କରିବା ପାଇଁ ମୋଦି ପ୍ରତିଶ୍ରୁତିବଦ୍ଧ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ସ୍କିଲ୍ ଇଣ୍ଡିଆ ଡିଜିଟାଲ ଆପ୍ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ଆୟୋଜିତ ଉତ୍ସବରେ ମଞ୍ଚାସିନ ହୋଇ
ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ଦେବଗଡ଼ ବିଧାୟକ ଶ୍ରୀଯୁକ୍ତ ସୁବାସ ପାଣିଗ୍ରାହୀ, ପୁର୍ବତନ କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଅବିଭାଷଣ ରଖି କୌଶଳ ବିକାଶର ବିଭିନ୍ନ ଦିଗ ଉପରେ ଅବଗତ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ