Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ପରାକ୍ରମ ଦିବସରେ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେରଙ୍କ ଜୟନ୍ତୀ

ସମ୍ବଲପୁର :ସମ୍ୱଲପୁର ମହାନଗର ଅନ୍ତର୍ଗତ ଦୁର୍ଗାପାଲି ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗତ 23 ତାରିଖ (ମଙ୍ଗଳବାର) ଅପରାହ୍ନରେ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତି ପକ୍ଷରୁ ଏକା ସାଙ୍ଗରେ ତିନିଜଣ ବରପୁତ୍ର ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ 216ତମ ଜୟନ୍ତୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ଙ୍କ 101 ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି |
ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତିର ପ୍ରତିଷ୍ଠାତା ସଭାପତି ସମାଜସେବୀ ତଥା ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ସମାଜ ସେବିକା ଶ୍ରୀମତୀ ଭାରତୀ ପଣ୍ଡା , ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ଚାନ୍ଦ , ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ କୀର୍ତ୍ତନ ମେହେର ଯୋଗଦାନ କରିଥିଲେ |
ପ୍ରାରମ୍ଭରେ ପବିତ୍ର ମନ୍ତ୍ରୋଚ୍ଚାର ମଧ୍ୟରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ମାଁ ସମଲେଶ୍ୱରୀ ଏବଂ ତିନି ବରପୁତ୍ର ଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଦେଶଭକ୍ତି ସଙ୍ଗୀତ ଗାନ କରା ଯାଇଥିଲା |
ମାତୃଭୂମିକୁ ବିଦେଶୀ ଶାସନ ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ଯେଉଁ ଅସୀମ ତ୍ୟାଗ ଓ ବଳିଦାନ ଦେଇ ଯାଇଛନ୍ତି, ସେଥିପାଇଁ ସେମାନେ ଆମର ଚିର ନମସ୍ୟ, ଚିର ସ୍ମରଣୀୟ ଏବଂ ଚିର ବନ୍ଦନୀୟ ହୋଇ ରହିବେ ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ |
ସିପାହୀ ବିଦ୍ରୋହର 30 ବର୍ଷ ପୂର୍ବରୁ ଅର୍ଥାତ୍ 1827 ମସିହାରୁ ଜାତୀୟ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ମାଟିରେ ବିଦେଶୀ ଇଂରେଜ ଶାସନ ବିରୁଦ୍ଧରେ ଦୁଇଟି ପର୍ଯ୍ୟାୟରେ ଯେଉଁ ଦୀର୍ଘ 20 ବର୍ଷ କାଳ ଜବରଦସ୍ତ ସଶସ୍ତ୍ର ସଂଗ୍ରାମ କରିଥିଲେ ଏବଂ ଦୀର୍ଘ 37 ବର୍ଷ ବନ୍ଦୀ ଜୀବନ ଯାପନ କରି ପରିଶେଷରେ 75 ବର୍ଷ ବୟସରେ କାରାଗାରରେ ବଳିଦାନ ହୋଇ ଯାଇଥିଲେ, ଏଭଳି ଘଟଣା ସମଗ୍ର ବିଶ୍ୱ ଇତିହାସରେ ବିରଳ ବୋଲି ସଭାପତି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ନିଜ ଉଦ୍’ବୋଧନରେ କହିଥିଲେ | ଜଣେ ଜାତୀୟ ବୀର ଭାବରେ ବୀର ସୁରେନ୍ଦ୍ର ସାଏ ଙ୍କର ଜୀବନାଦର୍ଶ ସାରା ଓଡ଼ିଶାରେ ଏବଂ ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରାଯିବା ଉଚିତ ବୋଲି ଶ୍ରୀଯୁକ୍ତ ବହିଦାର କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ |
ଶ୍ରୀମତୀ ବବିତା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ମେହେର ଏବଂ ପୂର୍ବତନ ସୈନିକ ଶ୍ରୀଯୁକ୍ତ ଜନାର୍ଦ୍ଦନ ମେହେର ନିଜ ବକ୍ତବ୍ୟ ମାଧ୍ୟମରେ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ ଆୟୋଜନରେ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର, ଶ୍ରୀମତୀ ସାବିତ୍ରୀ ମେହେର, ରାଧେଶ୍ୟାମ ବାରିକ, ଗୋଲକ ବିହାରୀ ମେହେର, ଚୈତନ୍ୟ ମେହେର, ସୁଶ୍ରୀ ଆଁଚଲ ମେହେର, ବଳରାମ ସାହୁ, ନବୀନ ମେହେର, କିଶୋର ମେହେର ପ୍ରମୁଖ ସହଯୋଗ କରିଥିଲେ | ଏହି ରାଷ୍ଟ୍ରୀୟ ପରାକ୍ରମ ଦିବସ ପାଳନ ସମାରୋହରେ ବହୁ ସଂଖ୍ୟାରେ ମୁକ୍ତି ସଂଗ୍ରାମୀ ପ୍ରେମୀ ଭଦ୍ରବ୍ୟକ୍ତି, ଭଦ୍ରମହିଳା ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦାନ କରି ବରପୁତ୍ର ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସାମୁହିକ ଜାତୀୟ ସଙ୍ଗୀତ ଗାନ ପରେ ଶେଷରେ ଶ୍ରୀମତୀ ଶିବପ୍ରିୟା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମାରୋହ ଉଦଯାପିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ