Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡ଼ି ଗୋଷ୍ଠୀ ବିବାଦକୁ ରୋକି ପାରିବ ନୂଆଁ ମୁହଁ : ଚର୍ଚ୍ଚାରେ ଚନ୍ଦ୍ରଲେଖା

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାରେ ୪ଟି ବିଧାନସଭା ରହିଛି । ସେଥି ମଧ୍ୟରୁ ସମ୍ୱଲପୁର ବିଧାନସଭା ବେଶ ଗୁରୁତ୍ୱପୂର୍ଣ୍ଣ। ବିଶେଷ ଭାବେ ଶିକ୍ଷିତ ଭୋଟର ଏହି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏଥିସହ ଏହି ଆସନରେ ଲଢେଇ ମଧ୍ୟ ଘମାଘୋଟ ହୋଇଥାଏ । ତେଣୁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଚୟନ ବୁଝି ବିଚାରି କରନ୍ତି । ବିଶେଷ ଭାବେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ସମସ୍ତେ ଗୁରୁତ୍ଵ ଦେଇ ଆସିଛନ୍ତି । ଏଭଲିସ୍ଥଲେ ସମ୍ୱଲପୁର ମାଟିର ଝିଅ ଚନ୍ଦ୍ରଲେଖା ବହିଦାର ବିଜେଡ଼ି ଟିକେଟ ପାଇଁ ସର୍ବାଗ୍ରେ ଥିବା ଜଣାପଡିଛି । ବିଜେଡ଼ି ଦଳ ତାଙ୍କ ଉପରେ ବିଭିନ୍ନ ସମୟରେ ଆସ୍ଥା ଓ ବିଶ୍ୱାସ କରି ଗୁରୁ ଦାଇତ୍ୱ ଦେଇଛି । ସେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ମହିଳା ରାଜ୍ୟ ସମ୍ପାଦିକା ଥିଲେ । ରେଢ଼ାଖୋଲ ବିଧାନସଭା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସାଂଗଠନିକ ଦାୟୀତ୍ଵ ସୁଚାରୁ ରୁପେ ତୁଲାଇ ଥିଲେ । ପରେ
ବଲାଙ୍ଗୀର ଓ ପଂଚାୟତ ନିର୍ବାଚନରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟୀତ୍ଵ ନିର୍ବାହ କରି ଦଳକୁ ବିଜୟୀ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ବର୍ତ୍ତମାନ ସେ ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡର ସଦସ୍ୟା ଅଛନ୍ତି ।
ଆସନ୍ତା ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବ । ଦିନ ଯେତେ ପାଖେଇ ଆସୁଛି ନିର୍ବାଚନ ମାହୋଲ ସେତେ ସରଗରମ ହେବାକୁ ଲାଗୁଛି।
ଏଥିସହ ବିଜେଡ଼ି ଦଳୀୟ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଛି। ଯାହା କାହାକୁ ଅଛପା ନାହିଁ। ଏହା ଏବେ ହାଟରେ ପଡି ଦାଣ୍ଡରେ ଗଡ଼ୁଛି। ଦଳୀୟ କନ୍ଦଳ ପଦାଧିକାରୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାକୁ ରୋକିବାକୁ ସଂଗଠନ ପକ୍ଷରୁ ପ୍ରୟାସ ଜାରି ରହିଛି। ମାତ୍ର ଏହା ରୋକିବା ବଦଳରେ ଅଧିକ ଜଟିଳ ହେଉଛି । ସାଧାରଣ କର୍ମୀ ମାନେ ବିବାଦରୁ ଦୁରେଇବା ପାଇଁ ଅନ୍ୟ ଦଳ ପ୍ରତି ଆଗଭର ହେଉଛନ୍ତି ।କେତେକ ଗୋଷ୍ଠୀ ବିବାଦରୁ ଦୂରେଇ ରହିବାକୁ ଶ୍ରେୟ ମଣୁଛନ୍ତି । କେତେକ ପୁଣି ଦଳର ପଦପଦବୀ ଛାଡ଼ି ଚୁପଚାପ୍ ରହୁଛନ୍ତି । ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ଓ ସଂଗଠନକୁ ସୁଦୃଢ କରିବା ପାଇଁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଦାଇତ୍ଵ ଦିଆଯାଇଛି ।
ସେମାନେ ବାରମ୍ବାର ସମ୍ୱଲପୁର ଗ୍ରସ୍ତ କରୁଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି। ମାତ୍ର ଗୋଷ୍ଠୀ ବିବାଦ ଥମିବାର ନାଁ ନେଉନାହିଁ । ପୂର୍ବତନ ବିଧାୟିକା ଡ଼ା ରାସେଶ୍ୱରୀ ପାଣିଗ୍ରାହୀ ଓ ରେଢ଼ାଖୋଲ ବିଧାୟକ ଇ. ରୋହିତ ପୂଜାରୀ ନିଜ ନିଜ ସମର୍ଥକ ନେଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । ଦଳକୁ ସୁଦୃଢ କରିବା ପରିବର୍ତେ ଲଢେଇ କରୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ଅନୁଦାନ ପ୍ରଦାନ କରାଯାଇଥିଲା । ଏଥିସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିଲା । ଏହା ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ହୋଇଥିବା ବେଳେ ବିଜେଡ଼ି ମଧ୍ୟ ଏହି ଆସନ ପ୍ରତି ବିଶେଷ ଗୁରୁତ୍ବ ଓ ଗୁରୁତ୍ବ ଦେଇଥିଲା । ଏହାସତ୍ୱେ ରାସେଶ୍ୱରୀ ପାଣିଗ୍ରାହୀ ବିପୁଳ ଭୋଟର ପରାସ୍ତ ହୋଇଥିଲେ । ତେଣୁ ଗୋଷ୍ଠୀ ବିବାଦ ଓ ଲୋକ ପ୍ରିୟତାକୁ ଦୃଷ୍ଟିରେ ରଖି ଦଳ ନୂଆଁ ମୁହଁ ବା ଚେହେରା ଆଣି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଯାହା ଦଳକୁ ବିଜୟ ହେବାରେ ବିଶେଷ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ