କୁଲୁଣ୍ଡି ଲ୍ୟାମ୍ପସର ବାର୍ଷିକ ସାଧାରଣ ସଭା:କୋଟି ଲାଭରେ ଚାଲିଛି ଲ୍ୟାମ୍ପସ୍

ସମ୍ବଲପୁର(ଗୌଡ଼ପାଲି): ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲୁଣ୍ଡି ବୃହଦାକାର ଆଦିବାସୀ ବହୁମୂଖୀ ସମବାୟ ସମିତିର ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ସଭା ଆଜି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲ୍ୟାମ୍ପସ ସଭାପତି ମନ୍ମଥ ଓରାମ ଓ ସମ୍ମାନିତ ଅତିଥି ଭାବେ ଉପ ସଭାପତି ଅନୁସୟା ବାଗ, ନିର୍ଦ୍ଦେଶକ ସରୋଜ ପଟେଲ, ରୋଶନ ବେହେରା, ସୁଶାନ୍ତ ପଧାନ, ଅରୁଣ ନାଏକ, ସହଦେବ ପଧାନ, କ୍ଷମାସାଗର ବେହେରା, ଶ୍ରୀଚରଣ କିଷାନ, ରମେଶ ପଧାନ, ପ୍ରଶାନ୍ତ ବାଗ ଓ ମୈଥିଳୀ ପଧାନ ମଞ୍ଚାସୀନ ଥିଲେ। ଅନୁଷ୍ଠିତ ସଭା ପୂର୍ବରୁ ପ୍ରଥମେ ମାଁ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସଭାରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସରୋଜ ପଧାନ ବାର୍ଷିକ ବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାନେଜର ହେମନ୍ତ ଭୋଇ ଆଗାମୀ ବର୍ଷର ବଜେଟ ଉପସ୍ଥାପନ କରିଥିଲେ। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ସମିତି ୧୪ ଲକ୍ଷ ଟଙ୍କା ଲାଭ କରିଥିବାବେଳେ ଆଜି ପର୍ଯ୍ୟନ୍ତ ସମିତି ୧ କୋଟି ୨୨ ଲକ୍ଷ ଟଙ୍କା ଲାଭରେ ଚାଲୁଅଛି ବୋଲି ସୂଚନା ମିଳିଛି। ତେବେ ଲ୍ୟାମ୍ପ ସଭ୍ୟ ମନୋଜ ସେନାପତି ପ୍ରତି ଗାଆଁରେ ଋଣ ଖିଲାପ କରୁଥିବା ସଭ୍ୟଙ୍କ ପାଇଁ ଋଣ ସଚେତନତା ଶିବିର କରି ଋଣ ପରିଶୋଧ କିପରି ହୋଇପାରିବ ସେନେଇ ଆଲୋଚନା କରିଥିବାବେଳେ ଅନ୍ୟ ସଭ୍ୟ ମାନେ ମଧ୍ୟ ନିର୍ଦ୍ଦେଶକ ମାନଙ୍କୁ ପ୍ରଶ୍ନ କରିଥିଲେ। ଆଜିକାର ସଭାରେ ସମିତିର ପ୍ରାୟ ୩୫୦ ସଭ୍ୟ ଅଂଶଗ୍ରହଣ କରିଥିଲେ। ସଭାଟିକୁ ସଫଳ ଆୟୋଜନରେ ଲ୍ୟାମ୍ପ କର୍ମଚାରୀ ସୁବ୍ରତ ନାଏକ, ହେମନ୍ତ ଭୋଇ, ସବ୍ୟସାଚୀ ମହାପାତ୍ର, ଗୋବର୍ଦ୍ଧନ ପଧାନ, ମୁକେଶ ସାହୁ, ମାନସ ପଧାନ, ମହେଶ ମେହେର, ସୁଶାନ୍ତ ଅଦାବର, ଦୁର୍ଯ୍ୟୋଧନ ବେହେରା ଓ ପବିତ୍ର ନାଥଙ୍କ ସମେତ ପରିଚାଳନା ନିର୍ଦ୍ଦେଶକ ସରୋଜ ପଧାନ ସକ୍ରିୟ ଅଂଶଗ୍ରହଣ କରିଥିଲେ।