Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭବାନୀପାଟଣାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ

ଭବାନୀପାଟଣା: ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ମିଳିତ ଉଦ୍ୟମରେ ଭବାନୀପାଟଣାସ୍ଥିତ ଘୋଡାଘାଟ ଛକଠାରେ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍ କୁ ସମସ୍ତଙ୍କ ଖାଦ୍ୟଥାଳିରେ ସାମିଲ କରିବା ସହ ମିଲେଟ୍ ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କାଫେ ଖୋଲାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ, ଲୋକମାନଙ୍କୁ ପୁଷ୍ଟିକର ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଯୋଗାଇବା ସହ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ରୋଜଗାରକ୍ଷମ ହୋଇପାରିବେ। ଯେପରି ଅଧିକ ସଂଖ୍ୟକ ଲୋକଙ୍କୁ ମିଲେଟ୍ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ଏହି କାଫେରେ ପୁଷ୍ଟିଶସ୍ୟରୁ ବିଭିନ୍ନ ଖାଦ୍ୟ ଉପଲବ୍ଧ ରହିଛି ।
ଏହି ମିଲେଟ୍ ଶକ୍ତି କାଫେର ପରିଚାଳନା ଦାୟିତ୍ଵ ଭବାନୀପାଟଣାର ମା’ ବସୁନ୍ଧରା ମହାସଂଘର ମହିଳା ସଦସ୍ୟାମାନଙ୍କୁ ଦିଆଯାଇଛି । କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ମାଲପୁଆ, ସୁପ , ଲସି, ନିମକି, ବରା, ଆଳୁଚପ, ବିଭିନ୍ନ ପିଠା, ଲଡୁ, କେକ୍ , କାଙ୍ଗୁ ଖିରୀ, କାଙ୍ଗୁ ବିରିୟାନି ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ଟି ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି।
ଏହି ଉଦଘାଟନୀ ସମାରୋହରେ ଭବାନୀପାଟଣା ପୌରପାଳିକା ଅଧକ୍ଷ୍ୟା ସଂଯୁକ୍ତା ବେହେରାଙ୍କ ସମେତ ବିଭାଗୀୟ ବହୁ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭବାନୀପାଟଣାରେ ଏହା ପ୍ରଥମ ମିଲେଟ ଶକ୍ତି କାଫେ ।