ଏବେ ରାଜ୍ୟରେ କଣ ହେବ କଂଗ୍ରେସର ସ୍ଥିତି, ବିଜେପି-ବିଜେଡି ମେଂଟର ଫାଇଦା ଉଠାଇ ପାରିବ କି ଦଳ ?


ଭୁବନେଶ୍ୱର: ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବା ସ୍ପଷ୍ଟ ହୋଇ ସାରିଛି । ଏବେ ଦିଲ୍ଲୀରେ ଆସନ ଭାଗବଂଟା ନେଇ ଚାଲିଛି ଆଲୋଚନା । ଶୁକ୍ରବାର ରାତି ସୁଦ୍ଧା ଆସନ ଭାଗବଂଟା ଛିଣ୍ଡିଯିବ । ଏମିତି ହେଲେ ୧୫ ବର୍ଷ ପରେ ପୁଣି ଥରେ ଏକାଠି ମିଶିବେ ବିଜେପି ଓ ବିଜେଡି । ଯେଉଁଠି ଶାସକ ଓ ମୁଖ୍ୟ ବିରୋଧୀ ଦଳ ହାତ ମିଶାଇ ଦିଅନ୍ତି ସେଠି ଗଣତନ୍ତ୍ର କଥା କହିବା ମୁର୍ଖାମୀ ହେବ । ଏବେ ସଭିଙ୍କ ନଜର କଂଗ୍ରେସ ଉପରେ ରହିଛି । ରାଜ୍ୟରେ ନିଜର ଅସ୍ଥିତ୍ୱ ନେଇ ସଂଘର୍ଷ କରୁଥିବା କଂଗ୍ରେସର ରଣନୀତି କଣ ରହିବ । ଏକଦା ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ବର୍ତମାନ ରାଜ୍ୟର ୩ ନମ୍ବର ଦଳ । କିନ୍ତୁ ବିଜେପି ଓ ବିଜେଡି ମେଂଟ ହେଲେ କଂଗ୍ରେସ ହିଁ ରାଜ୍ୟରେ ଏକମାତ୍ର ବିରୋଧୀ ଦଳ ରହିବ । କଣ କଂଗ୍ରେସ ଏଥର ନିର୍ବାଚନରେ ବିଜେପି-ବିଜେଡି ମେଂଟର ଫାଇଦା ଉଠାଇ ପାରିବ କି ? କଣ ଦଳର ସିଟ୍ ବଢିବ ? ଏମିତି ଅନେକ ପ୍ରଶ୍ନ ଜନତାଙ୍କ ମନରେ ଉଙ୍କି ମାରୁଛି ।

ବିଜେପି ଓ ବିଜେଡି ମଧ୍ୟରେ ମେଂଟ ସ୍ପଷ୍ଟ ହେବା ପରେ ଦୁଇ ଦଳର ନେତା ଓ କର୍ମୀ ନିରାଶରେ ଅଛନ୍ତି । ଏବେ କଂଗ୍ରେସ ପାଖରେ ନିଜର ହରାଇଥିବା ଲୋକପ୍ରିୟତାକୁ ରାଜ୍ୟରେ ଫେରାଇ ଆଣିବାର ସୁଯୋଗ ରହିଛି । ଯେଉଁ ନେତାମାନେ ନିଜର ରାଜନୈତିକ ଭବିଷ୍ୟତ ଏବଂ ଟିକେଟ୍ ପାଇଁ ବିଜେପି ଓ ବିଜେଡି ଡେଉଁଥିଲେ ଅନ୍ତତଃ ପକ୍ଷେ ଏବେ ଆଉ କଂଗ୍ରେସ ଛାଡି ଯିବେନି । କାରଣ ବିଜେପି ଓ ବିଜେଡି ମେଂଟ ହେଲେ ଟିକେଟ୍ ମିଳିବାର ସମ୍ଭାବନା କମ୍ ରହିଛି । ତେଣୁ କଂଗ୍ରେସ ଏବେ ନିଜର ସଂଗଠନ ଦୃଢ କରି ଯଥା ସମ୍ଭବ ଲୋକଙ୍କ ପାଖକୁ ଯିବାକୁ ପଡିବ । ନିର୍ବାଚନରେ ଖର୍ଚ୍ଚ ବଢାଇବାକୁ ପଡିବ । ନିକଟରେ ଦଳରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଏମିତି ଅନେକ ବରିଷ୍ଠ ଓ ପୁରୁଖା ନେତାଙ୍କୁ ଏକଜୁଟ କରି ଖାସ୍ ରଣନୀତି ତିଆରି କରିବାକୁ ପଡିବ । କଣ ଏସବୁ କାମ କଂଗ୍ରେସ କରି ପାରିବ କି ? ଏହି ପ୍ରଶ୍ନ ମଧ୍ୟ ଭୋଟରଙ୍କ ମନରେ ଉଙ୍କି ମାରୁଛି ।

ସମସ୍ତେ ଭାବିଥିଲେ ଏଥର ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ । ଦୁଇ ଦଳର ନେତା ଓ କର୍ମୀ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ । ଜନତା ମଧ୍ୟ ଦୀର୍ଘ ୨୪ ବର୍ଷ ଧରି ସରକାରରେ ଥିବା ବିଜେଡି ପ୍ରତି ବିତସ୍ପୃତ ହୋଇ ସାରିଲେଣି । ଏଥର ବିଜେଡିକୁ କଡା ଟକ୍କର ମିଳିବ ବୋଲି ଜନତା ଭାବିଥିଲେ । କିନ୍ତୁ ବିଜେପି ଓ ବିଜେଡି ମେଂଟ ଖବର ପରେ ଏବେ ଜନତା ପ୍ରମାଦ ଗଣୁଛନ୍ତି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏବେ କଂଗ୍ରେସକୁ ଏହି ଅସନ୍ତୁଷ୍ଟ ଭୋଟରଙ୍କ ଭୋଟକୁ ନିଜ ଆଡକୁ ଟାଣିବାକୁ ପଡିବ । ଯଦି ଏମିତି ଦଳ କରି ପାରିବ ତେବେ ଅନ୍ତତଃ ପକ୍ଷେ ବିରୋଧୀ ଦଳ ହେବାର ଭୂମିକା ନିର୍ବାହ କରି ପାରିବ କଂଗ୍ରେସ । ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି ଯେ, ଯଦି କଂଗ୍ରେସ ଆଜି କା ସମୟରେ ଦୃଢ ଥାଆନ୍ତ, ଦଳରେ ବଡ ଚେହେରା ଥାଆନ୍ତେ ତେବେ ସେମାନେ କଂଗ୍ରେସକୁ ଭୋଟ୍ ଦିଅନ୍ତେ । କିନ୍ତୁ ଦେଶର ଏହି ସର୍ବ ପୁରାତନ ରାଜନୈତିକ ଦଳ ଓଡିଶାରେ ନିଜର ସ୍ଥିତି ବଂଚାଇବାକୁ ଚେଷ୍ଟା କରୁଛି ।

ତେବେ ଅଜୟ କୁମାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବା ପରଠୁ କଂଗ୍ରେସ ଭବନରେ ଗହଳି ଚହଳି ଲାଗି ରହିଛି । କେନ୍ଦ୍ରୀୟ ନେତାଙ୍କ ମଧ୍ୟ ଆଗମନ ହୋଇଛି । ଫଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଦଳରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବା ପାଇଁ ଉପଯୁକ୍ତ ପ୍ରାର୍ଥୀ ନାହାନ୍ତି ଯେମିତି ମାଳ ମାଳ ପ୍ରାର୍ଥୀ ବିଜେଡି ଓ ବିଜେପି ଦଳରେ ରହିଛନ୍ତି । ଗତ ନିର୍ବାଚନକୁ ଦେଖିଲେ ବିଜେଡି ଓ ବିଜେପିକୁ ମିଶାଇ ୮୦ ପ୍ରତିଶତ ଭୋଟ୍ ମିଳିଛି। ଏବେ ଦୁଇ ଦଳ ମେଂଟ କରିବାକୁ ଯାଉଥିବା ବେଳେ ଦୁଇ ଦଳ ପକେଟକୁ ମଧ୍ୟ ଏହି ଭୋଟ୍ ଯାଇପାରେ । ଏମିତି ସ୍ଥିତିରେ ରାଜ୍ୟ ବିରୋଧୀ ଶୂନ୍ୟ ହୋଇପାରେ । ଏହା ସତ ଯେ, ମେଂଟ ସ୍ଥିତିରେ କଂଗ୍ରେସର ଭୋଟ୍ ହାର ବଢିବା ନିଶ୍ଚିତ । କିନ୍ତୁ ଏହା ଓଡିଶାର ଗଣତନ୍ତ୍ର ପାଇଁ ଯଥେଷ୍ଟ ନୁହେଁ ।