Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମିଶନଶକ୍ତି ମହିଳାଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ବିଜେଡି – ବିଜେପି

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଶ୍ରୀ ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ନେଇ ଅଭିଯୋଗ କରିଛନ୍ତି ।
ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଜେଡି ମିଶନଶକ୍ତି ମହିଳା ଅଧିକାରୀଙ୍କୁ ଦୁବାଇ ଯାତ୍ରା ପଠାଯାଇଥିବା ବେଳେ ଯାତ୍ରା ବାବଦକୁ ଓଟିଡିସି ଓ ଫିକି ସଂସ୍ଥା ଦ୍ୱାରା ସରକାରୀ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି । ନିର୍ବାଚନ ଆଚରଣବିଧି ଲାଗୁଥିବା ବେଳେ ବିଜେଡି ଦଳ ମିଶନଶକ୍ତି ମହିଳାଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇଛନ୍ତି । ସମ୍ବଲପୁର ମହିଳାଙ୍କୁ ପ୍ରଲୋଭନ ଦେଖାଇ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ପାଇଁ ପ୍ରଭାବିତ କରିବାକୁ ଯୋଜନା କରାଯାଇଛି । ଏହି ତଥ୍ୟ ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିଧି ବିରୁଦ୍ଧରେ ଯାଉଛି ।
ଗତ ଏପ୍ରିଲ ୩ରେ ଏ ସମ୍ବନ୍ଧୀୟ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଫଟୋ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ବିଜେଡିର ଏହି କାର୍ଯ୍ୟକଳାପ ରିପ୍ରେଜେଣ୍ଟସନ ଅଫ୍ ପିପୁଲସ୍ ଆକ୍ଟ୍ ୧୯୫୧ର ଧାରା ୧୨୩ ଅନ୍ତର୍ଗତ ଦୁର୍ନୀତିଗ୍ରସ୍ତ ପ୍ରଥାକୁ ଦର୍ଶାଉଛି ଏବଂ ଏହା ଆଇନ ଅନୁଯାୟୀ ଦଣ୍ଡବିଧାନ ଅଟେ । ଏତଦବ୍ୟତୀତ ଏହି ପ୍ରକାର କାର୍ଯ୍ୟ ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ଏବଂ ଇସିଆଇର ପ୍ରସ୍ତାବିତ କାର୍ଯ୍ୟ ପ୍ରଣାଳୀ ବିରୋଧୀ ଅଟେ । ଏହା କାର୍ଯ୍ୟର ତଦାରଖ କରିବା ସହ ଦୋଷୀ ତଥା ସମ୍ପୃକ୍ତ ବିଜେଡି ନେତା ଓ ମିଶନଶକ୍ତି ଅଧିକାରୀଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ।
ନିର୍ବାଚନ ଅଧିକାରୀଙ୍କୁ ଦାବି ପତ୍ର ଦେବା ବେଳେ ଶ୍ରୀ ପଟେଲଙ୍କ ସହ ସମ୍ବଲପୁର ଜିଲ୍ଲା ମିଡିଆ ପ୍ରଭାରୀ ବବୁଲୁ ସାରଙ୍ଗୀ, ଟୁଲୁ ରଥ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ସୁନୀଲ ନନ୍ଦ, ଏସସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ବେହେରା, ବୁଥ ସଭାପତି ରାଜୀବଲୋଚନ ସାହୁ, ବଜରଙ୍ଗୀ ଦଳର ସୁଧୀର ବାଇଧର ପ୍ରମୁଖ ଉପସ୍ଥିତ ଥିଲେ ।