Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରିରେ ମୁଖ୍ୟ ଶାସନ ସଚିବଙ୍କ ନିର୍ବାଚନୀ ସମୀକ୍ଷା

ମାଲକାନଗିରି:ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ମାଲକାନଗିରି ଗସ୍ତରେ ଆସି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବାକୁ ଶ୍ରୀ ଜେନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ ଫ୍ଲାଗମାର୍ଚ୍ଚ, ପେଣ୍ଡିଂ ୱାରେଣ୍ଟି, ବନ୍ଧୁକ ଲାଇସେନ୍ସ, ମଦ, ଗଞ୍ଜେଇ, ଡ୍ରଗ୍ସ ଚୋରା ଚାଲାଣ ପ୍ରତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମସ୍ତ ପୋଲିଂ ବୁଥରେ ବିଦ୍ୟୁତ୍ କରଣ, ଫ୍ୟାନ୍, ଲାଇଟ୍, ପାନୀୟ ଜଳ ବ୍ୟବସ୍ଥା, ଖରାରୁ ରକ୍ଷା ପାଇବା ପାଇଁ ସେଡ୍, ହୁଇଲ୍ ଚେୟାର, ବିଏଲ୍ଓ ହେଲ୍ପ ଡେସ୍କ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହିଳା ଓ ପୁରୁଷ ମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ କାଳ ବୈଶାଖୀର ମୁକାବିଲା କରିବା ପାଇଁ ଜଳଛତ୍ର ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ କୁହାଯାଇଥିଲା। ଯେହେତୁ ମାଲକାନଗିରି ଜିଲ୍ଲା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟ ସୀମା ସହ ସଂଲଗ୍ନ ରହିଛି, ତେଣୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ପଡୋଶୀ ରାଜ୍ୟ ସୀମାନ୍ତବର୍ତ୍ତୀ ଜିଲ୍ଲା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ମାଲକାନଗିରି ଜିଲ୍ଲାରେ ସୁଚାରୁ ରୂପେ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ଦେଖି ଶ୍ରୀ ଜେନା ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇ ସମସ୍ତଙ୍କୁ ସେହି ଧାରା ବଜାୟ ରଖିବାକୁ ଉତ୍ସାହିତ କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ,ଶ୍ରୀ ସଚିନ୍ ପାୱାର ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେହିପରି ଆରକ୍ଷୀ ଅଧିକ୍ଷକ, ଶ୍ରୀ ନୀତେଶ ୱାଧୱନି ଜିଲ୍ଲାରେ ନିର୍ବାଚନ ପସ୍ତୁତି ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ଶ୍ରୀ ଜେନା ସ୍ବାଭିମାନ ଅଂଚଳ ସହିତ ନିର୍ବାଚନ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ କେନ୍ଦ୍ର ପରିଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ