Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ୨୦୧୪ରେ ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଗ୍ୟାରେଣ୍ଟି ପ୍ରଥମେ ପୂରଣ କରନ୍ତୁ-ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର

ସମ୍ବଲପୁର:କେନ୍ଦ୍ର ଭାରତୀୟ ଜନତା ପାର୍ଟିର ସରକାର ୨୦୧୪ରେ ସାଧାରଣ ଲୋକଙ୍କୁ ଦେଇଥିବା ଗ୍ୟାରେଣ୍ଟି ପ୍ରଥମେ ପୂରଣ କରନ୍ତୁ, ଏହା ପରେ ବିକଶିତ ଭାରତର ସ୍ବପ୍ନ ଦେଖାଇବେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନ କରିବା ପୂର୍ବରୁ ସାଧାରଣ ଲୋକଙ୍କୁ ଯେଉଁ “ଅଚ୍ଛେ ଦିନ୍”ର ଗ୍ୟାରେଣ୍ଟି ଦେଇଥିଲେ ତାହା କେବେ ପୂରଣ ହେବ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ବର୍ଷକୁ ଦୁଇ କୋଟି ଚାକିରି, ପେଟ୍ରୋଲ-ଡିଜେଲ ଦର କମିବା, ରନ୍ଧନ ଗ୍ୟାସ ଦର କମିବା, ଦେଶର ଶହେ ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା, ଟଙ୍କା-ଡଲାର୍ ର ବିନିମୟ ମୂଲ୍ୟ ସମାନ କରିବା, ଦେଶ ବାହାରେ ଥିବା କଳା ଧନକୁ ଜବତ୍ କରି ସାଧାରଣ ଲୋକଙ୍କୁ ପନ୍ଦର ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା, ବୁଲେଟ୍ ଟ୍ରେନ ଆରମ୍ଭ କରିବା, ଆଧାର କାର୍ଡ ବନ୍ଦ କରିବା, ସବୁ ଗରିବ ଲୋକଙ୍କୁ ଘର ପ୍ରଦାନ କରିବା, ସରକାରୀ ଉଦ୍ୟୋଗ ଗୁଡିକୁ ଲାଭାନ୍ବିତ ଉଦ୍ୟୋଗରେ ପରିଣତ କରିବା, ସମସ୍ତଙ୍କୁ ସାଥୀରେ ନେଇ ସାମଗ୍ରିକ ବିକାଶ କରିବା, ଗୋହତ୍ୟା ବନ୍ଦ କରିବା, ଚାଷୀଙ୍କୁ ସଶକ୍ତିକରଣ କରି ଚାଷୀମାନଙ୍କର ଆୟକୁ ଦ୍ଵିଗୁଣିତ କରିବା ପ୍ରମୁଖ ପ୍ରତିଶ୍ରୁତି ପ୍ରଦାନ କରି ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ସାଧାରଣ ଲୋକଙ୍କ କଥା ପୂରା ଭୁଲି ଯାଇଥିବା ବେଳେ ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଦେଖି ପୁଣି ବିକଶିତ ଭାରତର ସ୍ବପ୍ନ ଦେଖାଇବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ କଥା ।
କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଯୁବ ବର୍ଗଙ୍କୁ ଚାକିରି ଦେବା ଦୂରର କଥା ସେନା ବାହିନୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଗ୍ନିବୀର ଭଳି ଠିକା ଯୋଜନା ଲାଗୁ କରିବା, ଚାଷୀ ବିରୋଧୀ ବିଲ୍ ଆଣି ହଜାର ହଜାର ଚାଷୀ ଆନ୍ଦୋଳନ କରି ଜୀବନ ହରାଇବା ପରେ ପୂଣି ପ୍ରତ୍ୟାହାର କରିନେବା, ଡିଜେଲ-ପେଟ୍ରୋଲ-ଗ୍ୟାସ ସହ ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ କରିବା, ଭାରତୀୟ ସଞ୍ଚାର ନିଗମ ଲିମିଟେଡ, ଭାରତୀୟ ଜୀବନ ବୀମା ନିଗମ ଭଳି ଲାଭକାରୀ ଉଦ୍ୟୋଗ ଗୁଡିକୁ ଦୁର୍ବଳ କରିବା, ଦେଶ ବାହାରେ ଥିବା କଳା ଧନକୁ ଜବତ୍ କରିବା ଦୂରର କଥା ଏହି କଳା ଧନ ଆହୁରି ବଢାଇବା ସହ ବଡ ବଡ ଶିଳ୍ପ ପତିଙ୍କ ଋଣ ଛାଡ କରିବା, ଦେଶରେ ବିଫଳ ବିମୁଦ୍ରିକରଣ ଲାଗୁ କରି ହଜାର ହଜାର ଲୋକଙ୍କ ଜୀବନ ହାନୀ ଘଟିବା, ଗୋ ହତ୍ୟା କରୁଥିବା ଉଦ୍ୟୋଗ ତଥା ଅନ୍ୟାନ୍ୟ ବେସରକାରୀ ସଂସ୍ଥା ଗୁଡ଼ିକରୁ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର ଚାନ୍ଦା ଆଦାୟରେ ବ୍ୟସ୍ତ ରହି ସାଧାରଣ ଯୁବକ, ଛାତ୍ର, ମହିଳା, ଚାଷୀ, ଶ୍ରମିକ ସମସ୍ତଙ୍କ କଥା ଭୁଲି ଯାଇ କେବଳ କିଛି ପୁଞ୍ଜିପତିଙ୍କ ମନୋରଞ୍ଜନ କରିବା ନିହାତି ଦୁଃଖ ଓ ପରିତାପର ବିଷୟ ।
ବର୍ତ୍ତମାନ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ଲୋକ ସଭା କ୍ଷେତ୍ରର ସାଂସଦ ହେବାର ସୁନେଲି ସ୍ବପ୍ନ ଦେଖୁଥିବା ବେଳେ ଉପରୋକ୍ତ ବିଷୟରେ ଧ୍ୟାନ ଦେବା ସହ ଏହାର ନିରାକରଣ ଦିଗରେ ସାଧାରଣ ଲୋକଙ୍କୁ ଗ୍ୟାରେଣ୍ଟି ପ୍ରଦାନ କରିବେ କି ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସମ୍ବଲପୁର ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଜଣାଇଛନ୍ତି । ଏହା ସହ ସମ୍ବଲପୁରର ସ୍ଵାଭିମାନୀ ଜନତା ଗଳି ଗଳିରେ କେନ୍ଦ୍ର ମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରିବା ସହ ଆଗାମୀ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବେ ଏଥିରେ ତିଳେ ମାତ୍ର ଦ୍ବିଧା ନ ଥିବା କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ