ରାଉରକେଲାରେ ଦିଲ୍ଲୀପ ରାୟ,ବିପୁଳ ସମ୍ବର୍ଦ୍ଧନା

ରାଉରକେଲା : ଦିଲ୍ଲୀ ହାଇକୋର୍ଟରୁ ନିର୍ବାଚନ ଲଢିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅନୁମତି ମିଳିବା ପରେ, ରାଉରକେଲା ସହର ସମେତ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ମହଲରେ ଆନନ୍ଦର ଲହରୀ ଖେଲିଯାଇଛି। ଗତକାଲି ସୁନ୍ଦରଗଡ ସାଂସଦ ତଥା ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଯେ ଦିଲ୍ଲୀପ ରାୟ ରାଉରକେଲାରୁ ବିଜେପିର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ତେଣୁ ଆଜି ୪ଟା ସମୟରେ ସେ ବିମାନ ଯୋଗେ ରାଉରକେଲା ଆସିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଦିଲ୍ଲୀପଙ୍କ ରାଉରକେଲା ଆସିବା ଖବର ଜଣାପଡିବା ପରେ ହଜାର ହଜାର ସଂଖ୍ୟାରେ ତାଙ୍କ ସମର୍ଥକ, ବିଜେପି ସମର୍ଥକ, ବଜରଙ୍ଗ ଦଳ ଓ ବିଏଚପିର କର୍ମୀ ଏବଂ ଶୁଭେଚ୍ଛୁମାନେ ଆଜି ବିମାନବନ୍ଦରରେ ରୁଣ୍ଡ ରହିଥିଲେ। ବିଜେପି ଦଳ ପକ୍ଷରୁ ଦିଲ୍ଲୀପ ରାୟଙ୍କ ଟିକେଟ ଘୋଷଣା ହୋଇନଥିଲେ ମଧ୍ୟ ସେ ବିଜେପି ପକ୍ଷରୁ ରାଉରକେଲା ପାଇଁ ପ୍ରତିଦ୍ବନ୍ଦିତା କରିବା ନିଶ୍ଚିତ। ଚାର୍ଟର ବିମାନରେ ସାଂସଦ ଜୁଏଲ ଓରାମଙ୍କ ସହିତ ଦିଲ୍ଲୀପ ରାୟ, ଅପରାହ୍ନ ୪ଟା ୩୦ ସମୟରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଉରକେଲା ଜନସାଧାରଣ, ଶୁଭେଚ୍ଛୁ, ବିଜେପିର ସମର୍ଥକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କୁ ସ୍ୱାଗତ ଜଣାଇବା ସହିତ ବିଭିନ୍ନ ଧ୍ବନୀରେ ବିମାନବନ୍ଦର ଅଂଚଳ ପ୍ରକମ୍ପିତ ହୋଇଥିଲା।ଦିଲ୍ଲୀପଙ୍କ ଉପସ୍ଥିତି ନେଇ ରାଉରକେଲାରେ ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି ।