Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ନିର୍ବାଚନ ପ୍ରଚାର: ଓଡିଶାରେ ଗୋଟିଏ ଇଞ୍ଜିନ, ସେ ହେଉଛି ନବୀନ ଇଞ୍ଜିନ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲିଗୁଡା ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ସେମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। କନ୍ଧମାଳ ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବାଲିଗୁଡା ବିଧାନସଭା ପ୍ରାର୍ଥୀ ଶ୍ରୀ ଚକ୍ରମଣି କହଁରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କହିଛନ୍ତି। ବିରୋଧୀ ଦଳଙ୍କୁ ସିଧା ସଳଖ ଆକ୍ରମଣ କରି ସେ କହିଲେ ଯେ ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନ ରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି । ବିରୋଧି କହୁଛନ୍ତି ବିଧାନସଭାରେ ୧୨୦ ଓ ଲୋକସଭାରେ ୧୬ ଆସନରେ ଜିତିବେ । କିନ୍ତୁ ଦେଖିଲା ବେଳକୁ ପ୍ରାର୍ଥୀ ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁ ବସିଛନ୍ତି । ବିଜେଡି ତାଲିକା ପ୍ରକାଶ ପରେ ନିଜର ତାଲିକା ବାହାର କରୁଛନ୍ତି । ଓଡିଶାରେ ଡବଲ ଇଞ୍ଜିନ, ସିଙ୍ଗଲ ଇଞ୍ଜିନର କିଛି ମୂଲ୍ୟ ନାହିଁ। ଓଡିଶାରେ ଗୋଟିଏ ଇଞ୍ଜିନ, ସେ ହେଉଛି ନବୀନ ଇଞ୍ଜିନ। ନବୀନ ଇଞ୍ଜନର ଶକ୍ତି ବହୁତ ଅଧିକ, କେବେ ବି ଖରାପ ହେବ ନାହିଁ। ସେମାନେ ବର୍ଷକୁ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, କୁଆଡେ ଗଲା ଚାକିରି ପ୍ରତିଶ୍ରୁତି ? ପେଟ୍ରୋଲ, ଡିଜେଲ, ଗ୍ୟାସ ଦର କମେଇବେ ବୋଲି କହିଥିଲେ। ହିସାବ ଦେବାକୁ ସେମାନଙ୍କ ଦମ୍‌ ନାହିଁ। ଆମର ଦମ୍‌ ଅଛି ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇଚାଲିଛୁ।
ଆପଣମାନେ ତାଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି। ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ । ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ଓଡିଶାରେ ଶାନ୍ତି ଅଛି। ଛତିଶଗଡ, ଝାଡଖଣ୍ଡରେ ଡବଲ ଇଞ୍ଜିନ ଚାଲିଥିଲା, କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି ? କିଛି କରି ନାହାନ୍ତି। ଓଡିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି। କନ୍ଧମାଳ ଏସଡିସିରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଜନଜାତିଙ୍କ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ‘ଲାଭ‘ ଯୋଜନା କରିଛନ୍ତି। ଆପଣମାନେ ସମସ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ। ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର ଓ ଧବଳେଶ୍ବର ଶିବ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା । ବସ୍ତିଙ୍ଗିଆ ଚର୍ଚ୍ଚ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ବାରଖମା, କଞ୍ଜାମେଣ୍ଡି ରେ ଖ୍ରୀଷ୍ଟିଆନ ମାଇନରିଟି ସେଣ୍ଟର ପାଇଁ ସହାୟତା ଦିଆଯାଇଛି । ବାଲିଗୁଡା-ମାଡିନାଟ ନାଳ ଉପରେ ହାଇଲେବୁଲ ସେତୁ ପାଇଁ ୬ କୋଟି ଟଙ୍କା, ବାଲିଗୁଡା-ବାରଖମା-ଖମନଖୋଲ -ସିନ୍ଧିଗୁଡା ରାସ୍ତାରେ ହାଇଲେବୁଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ବାଲିଗୁଡା-ବୁଡାଗୁଡା ରାସ୍ତାର ଉନ୍ନତି ପାଇଁ ୪୫ କୋଟି ଟଙ୍କା, ପିଡାମାହା-ଡୁଡୁମିଲା ରାସ୍ତାର ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୯.୫୦ କୋଟି ଟଙ୍କା, ଗୁମୁଡୁମାହା-ଲହାଡି ରାସ୍ତା ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୧.୫୦ କୋଟି ଟଙ୍କା ଏବଂ ଲୁଦୁ ଜଳପ୍ରପାତ ଓ ସର୍ପନଳା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧.୨୦ କୋଟି ଟଙ୍କାର କାମ ଚାଲିଥିବା ଶ୍ରୀ ପାଣ୍ଡିଆନ କହିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେପି ର କିଛି ନେତା ବିଜେଡି ରେ ଯୋଗ ଦେଇଥିଲେ । ଏହି ସଭା ସ୍ଥଳରେ ସାଂସଦ ଅଚ୍ୟୁତ ସାମନ୍ତ, ଜିଲ୍ଳା ପର୍ଯ୍ୟବେକ୍ଷକ ବିଜୟ ନାୟକ, ସଂଯୋଜକ ଅଜୟ ମହାରଣା, ଟୁନା ଦାସ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲ୍ଲିକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l