Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପର୍ବରେ ଅଧିକରୁ ଅଧିକ ଭୋଟର ଭାଗ ନେବା ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ

ମାଲକାନଗିରି:ଆସନ୍ତା ମେ ୧୩ରେ ଜିଲ୍ଲାରେ ସାଧାରଣ ନିର୍ବାଚନ ହେବ ଏବଂ ଭୋଟରମାନେ ନିଜର ମତଦାନ କରିବେ। ଅଧିକରୁ ଅଧିକ ଭୋଟର ନିର୍ବାଚନ ପର୍ବରେ ଅଂଶ ଗ୍ରହଣ କରି ନିଜର ମତଦାନ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ ପାୱାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆହ୍ଵାନ କରିଛନ୍ତି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ଏହି ଭୋଟରଙ୍କ ନିମନ୍ତେ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୩୦ ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଭିନ୍ନକ୍ଷମଙ୍କ ନିମନ୍ତେ ୨ ଗୋଟି ବୁଥ୍ ବ୍ୟବସ୍ଥା କରାଯାଇଛି। ୧୦ ଟି ୟୁଥ୍ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ୩୦ ବର୍ଷରୁ କମ୍ ଅଧିକାରୀ ତଥା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ଛାତ ଉପରେ ବ୍ୟବସ୍ଥା, ଜଳଛତ୍ର,ପର୍ଯ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବୁଥ୍ ରେ ନିର୍ବାଚନରେ ନିୟୋଜିତ ଅଧିକାରୀ ତଥା ମତଦାତାଙ୍କୁ ସହାୟତା ନିମନ୍ତେ ଦୁଇ ଜଣ ଲେଖାଏଁ ସ୍ୱେଚ୍ଛାସେବିଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡ଼ାକଡ଼ି କରାଯାଇଛି। ଜିଲ୍ଲାରେ ୧୧୪ଟି ସମ୍ବେଦନଶୀଳ ବୁଥ୍ ରହିଥିବା କଥା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମାଲକାନଗିରି ଜିଲ୍ଲା ଅତ୍ୟଧିକ ଖରା ହେଉଥିବା ହେତୁ ଭୋଟର ମାନଙ୍କୁ ଯଥା ସମ୍ଭବ ପୂର୍ବାହ୍ନ ଅର୍ଥାତ୍ ଖରା କମ୍ ରହୁଥିବା ସମୟରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୭ରୁ ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହୁଥିବା ବେଳେ ଆମ ଜିଲ୍ଲାରେ ଏହାକୁ ୭ରୁ ୫ ଟା ପର୍ଯ୍ୟନ୍ତ ରଖାଯାଇଛି ବୋଲି କୁହାଯାଇଛି। ସେହିପରି ସ୍ବାଭିମାନ ଅଂଚଳ ପାଇଁ ମଧ୍ଯ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପ୍ରଥମ ଥର ପାଇଁ ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ ହେଉଛି । ଏହି ଅଞ୍ଚଳର ଯନ୍ତ୍ରୀ ଓ ସନ୍ୟାସୀଗୁଡା ଠାରେ ମତଦାନ କେନ୍ଦ୍ର କରାଯାଇଛି। ପୋଲିଂ ଅଧିକାରୀଙ୍କ ଯାତାୟାତର ମଧ୍ଯ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଯେହେତୁ ମାଲକାନଗିରି
ଜିଲ୍ଲା ଅନ୍ୟ ରାଜ୍ୟ ସୀମା ସହ ସଂଲଗ୍ନ ରହିଛି ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୀମା ସୁରକ୍ଷା ବାହିନୀ ଏଥି ନିମନ୍ତେ ମୁତୟନ ଅଛନ୍ତି ଏବଂ ସେମାନେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସଜାଗ ଅଛନ୍ତି ବୋଲି ସୂଚନା ମିଳିଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ,ସାଧାରଣ ତଥା ଚିତ୍ରକୋଣ୍ଡା ରିଟର୍ଣିଂ ଅଧିକାରୀ,ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ତଥା ମାଲକାନଗିରି ରିଟର୍ଣିଂ ଅଧିକାରୀ, ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଉପ ଜିଲ୍ଲାପାଳ, ଜଗେଶ୍ୱର ନାୟକ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ