Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଗଣା ବିଦ୍ୟୁତ ବଣ୍ଟନ ଥୋପ ନିର୍ବାଚନୀ ପ୍ରହସନ:୨୪ ବର୍ଷ ଲୁଣ୍ଠନ କଲାପରେ ଏବେ ମନେ ପଡ଼ିଲାନିକି ?-ପ୍ରମୋଦ ରଥ

ସମ୍ବଲପୁର ୧୪/୫ – ଗତ ଦୁଇ ଦିନ ହେଲଣି ବିଜେଡି ଦଳ ର ମାଗଣା ବିଦ୍ୟୁତ ପ୍ରସଙ୍ଗ କୁ ନେଇ ଜନମାନସ ରେ ଚର୍ଚ୍ଚା ଲାଗି ରହିଛି । ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ ବିଜେଡି ପକ୍ଷରୁ ଦିଆ ଯାଇଥିବା ବିଜ୍ଞାପନ ରେ କେଵଳ ଏତିକି ଲେଖା ଯାଇଛି ଯେ ଜୁଲାଇ ମାସ ରୁ ଆଉ ଆସିବନି ବିଦ୍ୟୁତ ବିଲ । କିନ୍ତୁ, ବିଜେଡି ର ମାଗଣା ବିଦ୍ୟୁତ ଯୋଗାଣ ବା ଜ଼ିରୋ ବିଲିଙ୍ଗ କୁ ନେଇ ବିଜ୍ଞାପନ ରେ କୌଣସି ତଥ୍ୟ ସବିଶେଷ ବିବରଣୀ ନାହିଁ । ବିଜ୍ଞାପନ ଦ୍ୱାରା ଭୁଲ ପ୍ରଚାର ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ପ୍ରଲୋଭନ ଦେଖେଇ ଭୋଟ ହାତେଇବାକୁ ଅପଚେଷ୍ଟା କରୁଛି ବୋଲି ଆଜି ବିଜେପି ଅଭଯୋଗ କରିଛି । ବର୍ଷ ବର୍ଷ ଧରି ବିଦ୍ୟୁତ ବିଲ ନାଁ ରେ ରାଜ୍ୟବାସୀ ଙ୍କୁ ଲୁଣ୍ଠନ କଲା ପରେ ବର୍ତ୍ତମାନ ବିଜେଡି ଜିରୋ ବିଲିଙ୍ଗ ନାଁ ରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କର ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀ ବିରୁଦ୍ଧରେ ତଥ୍ୟ ଭିତ୍ତିକ ଯୁକ୍ତି ରଖି ବିଜେଡି ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଡ଼.ରଥ । ସେ କହିଛନ୍ତି ଯେ ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଅଞ୍ଚଳବାସୀ ଙ୍କ ଐତିହାସିକ ବଳିଦାନ କୁ ସେ ସମୟ ର ପ୍ରତିଶୃତି କୁ ଭୁଲି ଯାଇଛନ୍ତି ସମସ୍ତ ସରକାର । ଅଞ୍ଚଳରେ ମାଗଣା କିମ୍ବା ସ୍ୱଳ୍ପ ଦର ରେ ବିଦ୍ୟୁତ ଯୋଗେଇ ଦେବାର ପ୍ରତିଶୃତି କୁ କଂଗ୍ରେସ ପାଳନ କରି ନଥିଲା । କିନ୍ତୁ ତାଙ୍କ ଠୁଁ ଆଉ ଆହୁରି ବଳି ଗଲାଣି ବିଜେଡି ସରକାର ର ଉପଭୋକ୍ତା ମାରଣ ନୀତି ।
ପ୍ରଥମେ ଓ.ଏସ.ଇ.ବି ଜରିଆରେ ପରେ ୱେସ୍କୋ ଜରିଆରେ ଓ ପୁଣି ଟାଟା ପାୱାର ଜରିଆରେ ରାଜ୍ୟବାସୀ ଙ୍କୁ ଲୁଣ୍ଠନ କରୁଛନ୍ତି ରାଜ୍ୟ ସରକାର । ବିଦ୍ୟୁତ ବିଭ୍ରାଟ ଉପରେ ପୁଣି ଉଚ୍ଚ ଦର ରେ ବିଦ୍ୟୁତ ବଣ୍ଟନ ଲୋକଙ୍କୁ ଅତିଷ୍ଠ କରୁଥୁବା ବେଳେ ତ୍ରୁଟିପୂର୍ଣ୍ଣ ବିଲିଙ୍ଗ, ବକେୟା ପାଉଣା ଓ ପାଉଣା ଆଦାୟ ସମୟରେ ଦାଦାଗିରି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଇଛି । ଟାଟା ପାୱାର ପାଖରେ ୱେସ୍କୋ ସମୟ ର ବକେୟା ପାଉଣା ଆଦାୟ ର ଚୁକ୍ତି ନଥିବା ବେଳେ ଜୋର ଜବରଦସ୍ତ ୱେସ୍କୋ ର ବିବାଦୀୟ ବକେୟା ପାଉଣା ଆଦାୟ ନା ରେ ଲୋକ ଙ୍କ ଉପରେ ଜୁଲୁମ କରା ଯାଉଛି ।
ଦେଶ ରେ ପ୍ରମୁଖ ରାଜ୍ୟ ମାନଙ୍କରେ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥା ନଥିବା ବେଳେ ଓଡିଶା ଭଳି ଏକ ଅନଗ୍ରସର ରାଜ୍ୟ ରେ ପ୍ରିପେଡ଼ ସ୍ମାର୍ଟ ମିଟର ବ୍ୟବସ୍ଥା କାହିଁକି କି ଲାଗୁ କରାଯାଇଛି ବୋଲି ଡ଼.ରଥ ପ୍ରଶ୍ନ କରିଥିଲେ । ଉପଭୋକ୍ତା ଙ୍କୁ ସବିଶେଷ ବିବରଣୀ ନ ଜଣେଇ ଲୋକଙ୍କ ଘରେ ଓ ବ୍ୟବସାୟିକ ପ୍ରତିଷ୍ଠାନ ରେ ପ୍ରିପେଡ ସ୍ମାର୍ଟ ମିଟର ସ୍ଥାପନ କରି ଦିଆ ଯାଉଛି ବୋଲି ସେ ଅଭଯୋଗ କରିଛନ୍ତି ।
ଡ଼. ରଥ ଆହୁରି ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ପଡୁଚେରୀ ରେ ଚାଷୀ ମାନଙ୍କୁ ମାଗଣା ବିଦ୍ୟୁତ ଯୋଗେଇ ଦିଅଯାଉଛି । ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ବିହାର ରେ ରିହାତି ଦରରେ ଚାଷୀ ଙ୍କୁ ବିଦ୍ୟୁତ ଯୋଗେଇ ଦିଆ ଯାଉଥୁବା ବେଳେ ଆମ ରାଜ୍ୟ ର ଚାଷୀ ମାନଙ୍କ ପାଇଁ ସେଭଳି କୌଣସି ସୁବିଧା ନାହିଁ । ଆମ ରାଜ୍ୟ ର ତାଲଚେର ନିକଟ କଣିହାଁ ରୁ ଉତ୍ପାଦିତ ବିଦ୍ୟୁତ କୁ ତାମିଲନାଡୁ କୁ ୟୁନିଟ ପିଛା ୨ ଟଙ୍କା ୫୩ ପଇସା ରେ ବିକ୍ରି କରାଯାଉଛି ହେଲେ ରାଜ୍ୟବାସୀ ଙ୍କ ଠୁଁ ୨ ଟଙ୍କା ୮୩ ପଇସା ଆଦାୟ କରାଯାଉଛି । ବଳକା ବିଦ୍ୟୁତ ଉତ୍ପାଦନକାରି ଆମ ରାଜ୍ୟ ରେ ବିଦ୍ୟୁତ ଦର ସର୍ବଭାରତୀୟ ସ୍ତର ଠାରୁ ୯୦ପଇସା ଅଧିକ କାହିଁକି ନିଆଯାଉଛି ବୋଲି ସେ ପଚାରିଛନ୍ତି ।
ରାଜ୍ୟ ରେ ଶକ୍ତି ବିଭାଗ କୁ ସୁଦୃଢ କରିବା ଉଦ୍ଦେଶ୍ୟ ରେ କେନ୍ଦ୍ର ର ମୋଦୀ ସରକାର ଅଢେଇ ହଜାର କୋଟି ଟଙ୍କା ରୁ ଅଧିକ ଆର୍ଥିକ ଅନୁଦାନ ଦେଇଛନ୍ତି । ୨୦୧୫ ରେ ରାଜ୍ୟ ର ୩୦ ଟି ଯାକ ଜିଲ୍ଲା ରେ ଥିବା ଗ୍ରାମାଞ୍ଚଳ ରେ ରହୁଥୁବା ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗୀକରଣ ପାଇଁ ୧୬୫୬.୪୮ କୋଟି ଟଙ୍କା ଦେଇଥିଲେ । ପରବର୍ତ୍ତୀ ସମୟ ରେ ବିଦ୍ୟୁତ ଯୋଗାଣ ରେ ଭିତ୍ତିଭୂମି ର ବିକାଶ ପାଇଁ ପୁଣି ଗ୍ରାମାଞ୍ଚଳ ପାଇଁ ୫୬୦ କୋଟି ଓ ସହରାଞ୍ଚଳ ପାଇଁ ୫୨୧ କୋଟି ଟଙ୍କା ର ଅନୁଦାନ ଦେଇଥିଲେ ।
କେନ୍ଦ୍ର ର ଅନୁଦାନ କୁ ହରିଲୁଟ କରିବାରେ ଓ ବିଦ୍ୟୁତ ଉପଭୋକ୍ତା ଙ୍କୁ ହଇରାଣ କରି ଲୁଣ୍ଠନ କରିବାରେ ରାଜ୍ୟ ସରକାର ଉସ୍ତାଦ ବୋଲି ଡ଼. ରଥ ଅଭଯୋଗ କରିଛନ୍ତି ।
ଶକ୍ତି ବିଭାଗ କୁ ସୁଦୃଢ କରିବା ଓ ବିଦ୍ୟୁତ ସଂସ୍କାର ନାଁରେ ରାଜ୍ୟ ରେ ଆରମ୍ଭ ହୋଇଥିବା ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥା କୁ ସମ୍ବଲପୁର ରୁ ହିଁ କାହିଁକି ଆରମ୍ଭ କରାଯାଇଥିଲା ବୋଲି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ପ୍ରଶ୍ନ କରିଥିଲେ । ସମ୍ବଲପୁର କଣ ରାଜ୍ୟ ର ରାଜସ୍ବ ଆଦାୟ ର ପ୍ରୟୋଗଶାଳା କି ବୋଲି ଶ୍ରୀ ବକ୍ସି ପଚାରିଥିଲେ । ରାଜ୍ୟ ର ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଶକ୍ତି ସଚିବ, ମନ୍ତ୍ରୀ, ବିଧାୟକ, ସଚିବ, ଅଧିକାରୀ ଙ୍କ ବାସଭବନ ରୁ ଏଭଳି ଯୋଜନା ର ଶୁଭାରମ୍ଭ ନ କରି ପଶ୍ଚିମ ଓଡିଶା ରୁ ଆରମ୍ଭ କରିବା ରାଜ୍ୟ ସରକାର ଙ୍କର ପଶ୍ଚିମାଞ୍ଚଲ ପ୍ରତି ବୈମାତୃକ ମନୋଭାବ କୁ ଦର୍ଶାଉଛି ବୋଲି ଶ୍ରୀ ବକ୍ସି ଅଭିଯୋଗ କରିଥିଲେ । କେନ୍ଦ୍ର ର ମୋଦୀ ସରକାର ଯେଉଁ ସୂର୍ଯ୍ୟ ଯୋଜନା ଆଣିଛନ୍ତି ସେଥିରେ ଲୋକେ ନିଜର ଛାତ ରେ ସୋଲାର ପେନାଲ ସ୍ଥାପନ କରି ବିଦ୍ୟୁତ ଉତ୍ପାଦନ କରିବେ ।ନିଜର ଆବଶ୍ୟକ ମୁତାବକ ବିଦ୍ୟୁତ ବ୍ୟବହାର କରିଲା ପରେ ବକେୟା ବିଦ୍ୟୁତ ଶକ୍ତି କୁ ଗ୍ରୀଡ଼ ମାଧ୍ୟମ ରେ ବିକ୍ରି କରି ଅର୍ଥ ଉପାର୍ଜନ କରି ପାରିବେ ବୋଲି ସେ କହିଥିଲେ ।
ଆଜିର ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡ଼ଙ୍ଗୀ, ସକ୍ରିୟ ବିଜେପି କର୍ମୀ ମୁକେଶ ଜରିୱାଲ ଓ ରଞ୍ଜିତ ରଥ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories