Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ଫଳାଫଳକୁ ନେଇ ବାଲିଗୁଡାରେ ବାଜିମାତ ଦ୍ୱାରା ସଟ୍ଟା ଖେଳ ସକ୍ରିୟ : ୪ ତାରିଖକୁ ଅପେକ୍ଷା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ୧ତାରିଖ ଦିନ ରାଜ୍ୟର ସମସ୍ତ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବ । ଜୁନ୍ ୪ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ l ମେ’ ୨୦ ତାରିଖ ଦିନ କନ୍ଧମାଳ ଲୋକସଭା ଅଧିନ ୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇ ରହିଛି l ଜୁନ୍ ୪ତାରିଖ ପାଇଁ ଏବେ ରାଜନୈତିକ ଦଳ ଗୁଡ଼ିକ ସମେତ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି। ଫଳାଫଳ କାହା ସପକ୍ଷରେ ଯାଉଛି, କିଏ କେଉଁ ଆସନରୁ ଜିତିବ, କେତେ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିବ ଏଥିନେଇ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି । ଏହିକ୍ରମରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ଆସନ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିଛି। ଫଳାଫଳକୁ ନେଇ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଯାଇଥିବା ବେଳେ ଫଳାଫଳକୁ ନେଇ ସଟ୍ଟାବଜାର ବି ସକ୍ରିୟ ହୋଇଉଠିଛି| ନିର୍ବାଚନର ଫଳାଫଳକୁ ସଟ୍ଟାବଜାର ରେ ଅନେକ ନେତା, କୁଜିନେତା ଭଳି ବିଭିନ୍ନ ଜନସାଧାରଣ ବାଜି ଲଗାଇଥିବା ସୂଚନା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଲୋକସଭା ସମେତ ୭ ଟି ବିଧାନସଭା ଆସନରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା। ଲୋକସଭା ଓ ବିଧାନସଭା ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିବାବେଳେ ଜନମତ କାହା ସପକ୍ଷରେ ଯିବ ତାହା ତାହା କହିବା ମୁସ୍କିଲ୍ । ହେଲେ ଏହି ତିନି ପ୍ରମୁଖ ଦଳର ସମର୍ଥକ ମାନେ ଜୁନ୍ ୪ରେ ସେମାନଙ୍କ ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ସଟ୍ଟା ଲଗାଇଛନ୍ତି। ଏପରିକି ବିପକ୍ଷ ଦଳର ସମର୍ଥକଙ୍କ ସହ ମଧ୍ୟ ଫଳାଫଳକୁ ନେଇ ମୋଟା ଅଙ୍କର ସଟ୍ଟା ଲାଗିଥିବା ଜଣାପଡ଼ିଛି। ୫୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଟ୍ଟା ଲାଗିଛି। କେହି କେହି ସେମାନଙ୍କ ସମର୍ଥିତ ପ୍ରାର୍ଥୀ ଯଦି ହାରିଗଲେ ମୁଣ୍ଡନ ହେବା ସହ ବଡ଼ ବଡ଼ ହୋଟେଲରେ ଖାଇବାକୁ ଦେବେ ବୋଲି ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ସେହିପରି ବାଲିଗୁଡା ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେଡି,ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଫାଇଟ୍ ହୋଇଥିବାବେଳେ ଏହାର ଫଳାଫଳକୁ ନେଇ ମଧ୍ୟ ସଟ୍ଟା ବଜାର ସରଗରମ ରହିଛି। ସଟ୍ଟା ବଜାର ଯେଉଁପରି ଭାବେ ସରଗରମ ହେଉଛି ଫଳାଫଳ ପ୍ରକୃତରେ କାହା ସପକ୍ଷରେ ଯିବ ତାହା ଆକଳନ କରିବା ବହୁ କଷ୍ଟକର ହୋଇପଡ଼ିଛି। ଜୁନ୍ ୪ ତାରିଖ ଏହି ଦିନରେ ହିଁ ଫଳାଫଳର ସ୍ପଷ୍ଟ ଚିତ୍ର ମିଳିବ l