କଲବଲ କଲାଣି ପ୍ରଚଣ୍ଡ ରୌଦ୍ରତାପ, ଆଜି ସୁବର୍ଣ୍ଣପୁର ପାଇଁ ଅରେଞ୍ଜ ୱାନିଂ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ଅଂଶଘାତଜନିତ କିଛି ଲୋକଙ୍କ ଜୀବନ ମଧ୍ୟ ଯିବା ନେଇ ଅଭିଯୋଗ ମାନ ଆସୁଛି। ସେପଟେ ହିଟ୍‌ୱେଭ୍‌ ନେଇ ସତର୍କ କଲେ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ହିଟ୍‌ୱେଭ୍‌ ଜାରି ରହିବ। ଜୁନ ୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ହିଟ୍‌ୱେଭ୍‌ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ହିଟ୍‌ୱେଭ୍‌ ପାଇଁ ପିକ୍‌ ଆୱାର ଦିବା ୧୧ଟା ରୁ ୩ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘାତକ ସମୟରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଆଜି ଶନିବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ଶନିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାନିଂ ଜାରି କରା‌ଯାଇଛି। ୨ ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି କିନ୍ତୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।