ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ର ଶେଷ ୱାର୍ମ ଅପ୍ ମ୍ୟାଚ୍ ଆଜି ଖେଳାଯିବ । ଏହି ଅଭ୍ୟାସ୍ ମ୍ୟାଚ୍ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ । ଭାରତୀୟ ଖେଳାଳି ଆଇପିଏଲରେ ବ୍ୟସ୍ତ ଥିବାରୁ କେବଳ ଗୋଟିଏ ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି । ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଏହି ମ୍ୟାଚ୍ ଜରିଆରେ ନିଜର ଥିବା ଦୁର୍ବଳତାକୁ ଦୂର କରିବାକୁ ପଡିବ ।
ଆଜିର ଭାରତ ଓ ବାଂଲାଦେଶ ମଧ୍ୟରେ ଅଭ୍ୟାସ୍ ମ୍ୟାଚ୍ ନ୍ୟୁୟର୍କର ନାସାଓ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ଷ୍ଟାଡିୟମରେ ଏହା ପ୍ରଥମ ମ୍ୟାଚ୍ ଖେଳାଯିବ । ଏଠାରେ ଏ ପର୍ଯ୍ୟନ୍ତ କୌଣସି ମୁକାବିଲା ଖେଳା ଯାଇ ନାହିଁ । କାରଣ ବିଶ୍ୱକପ୍ ପାଇଁ ହିଁ ଏହି ଷ୍ଟାଡିୟମକୁ ନିର୍ମାଣ କରାଯାଇଛି ।
ଭାରତ ଏହି ଷ୍ଟାଡିୟମରେ ୩ଟି ଗ୍ରୁପ ମ୍ୟାଚ୍ ଆୟରଲାଣ୍ଡ, ପାକିସ୍ତାନ ଓ ଆମେରିକା ବିପକ୍ଷରେ ଖେଳିବ । ଏହି କାରଣରୁ ଏହି ଷ୍ଟାଡିୟମ ଓ ପିଚକୁ ଜାଣିବା ପାଇଁ ଆଜିର ବାଂଲାଦେଶ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜୁନ ୫ରେ ଭାରତ ବିଶ୍ୱକପର ପ୍ରଥମ ମ୍ୟାଚ୍ ଆୟରଲାଣ୍ଡ ବିପକ୍ଷରେ ଖେଳିବ ।
ତେବେ ଆଜିର ଅଭ୍ୟାସ୍ ମ୍ୟାଚ୍ ବିରାଟ କୋହଲି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । କାରଣ କୋହଲି ବୁଧବାର ହିଁ ନ୍ୟୁୟର୍କରେ ପହଞ୍ଚିଛନ୍ତି । ଭାରତରୁ ନ୍ୟୁୟର୍କ ଲମ୍ବା ସମୟ ଯାତ୍ରା ପରେ ତାଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିନାହିଁ । ତେଣୁ କୋହଲିଙ୍କୁ ଅଭ୍ୟାସ୍ ମ୍ୟାଚରୁ ବିଶ୍ରାମ ଦିଆଯାଇପାରେ । ସେ ଜୁନ ୫ରେ ମଇଦାନକୁ ଓହ୍ଲାଇ ପାରନ୍ତି ।