ଭୁବନେଶ୍ବର: ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭି.କେ. ପାଣ୍ଡିଆନ । ଗତକାଲି ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡ଼ିବା ଘୋଷଣା କରିବା ସହ ବିଜେଡି କର୍ମୀ ଏବଂ ବିଜୁ ପରିବାରର ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଥିଲେ । ଏହାସହ ଓଡ଼ିଶାବାସୀଙ୍କୁ ମଧ୍ୟ କ୍ଷମା ମାଗିଥିଲେ । ରବିବାର ପାଣ୍ଡିଆନ ରାଜନୀତି ଛାଡିବା ଘୋଷଣା କରିଥିବା ବେଳେ ଆଜି ତାଙ୍କ ବାସଭବନ ଆଗରେ ଲାଗିଥିବା ବ୍ୟାରିକେଡ ହଟାଇ ଦିଆଯାଇଛି । ଭୁବନେଶ୍ୱର ୟୁନିଟ ୬ରେ ଥିବା ଭିଆଇଆର ୭ ନମ୍ବର ଆଗରେ କରାଯାଇଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଛି ।
ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭନବ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା । ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ । କ୍ୱାର୍ଟର୍ସକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ଠିଆ ହେବାକୁ ଅନୁମତି ଦେଉ ନଥିଲେ ।
ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା । ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା । ବ୍ୟାରକେଡ ପାଖରେ ପୋଲିସ ମଧ୍ୟ ଜଗି ରହୁଥିଲେ । ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଇଛି । ତାଙ୍କ ବାସଭବନରେ ଆଗରେ ମଧ୍ୟ ଆଉ ପୋଲିସ ଛାଉଣୀ ନାହାନ୍ତି ।