ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା


ଭୁବନେଶ୍ବର: ନିର୍ବାଚନ ସରିଛି । ଭୋଟ ଗଣତି ହୋଇ ଫଳଫଳ ମଧ୍ୟ ଆସି ସାରିଛି । ଓଡ଼ିଶାରେ ୨୫ ବର୍ଷର ବିଜେଡି ଶାସନର ଅନ୍ତ ଘଟାଣା ପ୍ରଥମ ଥର ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଛି । ତେବେ ରାଜ୍ୟର ଅନ୍ୟତମ ପ୍ରମୁଖ ଦଳ ନିର୍ବାଚନରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହିଁ । ମୋଦି ଲହରରେ ନା କେବଳ ବିଜେଡି ଧୂଳିସାତ ହୋଇଛି । କଂଗ୍ରେସ ବି ମାଟି କାମୁଡ଼ିଛି । ଏମିତି ସ୍ଥିତିରେ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତ ଦାସ ।

ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପଦ ଛାଡିଲେ ଭକ୍ତ । ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ କଂଗ୍ରେସର ୯ ଜଣ ବିଧାୟକ ଜିତିଥିଲେ । ଗୋଟିଏ ହେଲେ ଲୋକସଭା ଆସନରେ ଖାତା ଖୋଲିପାରି ନଥିଲା । ଚଳିତ ନିର୍ବାଚନରେ ୯ରୁ ୯୦ ଡାକରା ଦେଇ ରାଜ୍ୟ କଂଗ୍ରେସ ମୈଦାନକୁ ଓହ୍ଲାଇଥିଲା । ଦଳ ୧୪ଟି ବିଧାନସଭା ଓ କୋରାପୁଟ ଲୋକସଭା ଆସନରେ ବାଜିମାତ କରିଛି । ଯାହା ପୂର୍ବ ନିର୍ବାଚନକୁ ଦେଖିଲେ କଂଗ୍ରେସର ଭଲ ପ୍ରଦର୍ଶନ କୁହାଯାଇ ପାରିବ । ହେଲେ, ରାଜ୍ୟରେ ଚାଲିଥିବା ସରକାରୀ ବିରୋଧୀ ହାଓ୍ବାରୁ ବିଜେପି ଯେପରି ଫାଇଦା ନେଲେ କଂଗ୍ରେସ ନେଇ ପାରିଲା ନାହିଁ ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ଯୁବ ଚେହେରା ରହିଛନ୍ତି । ଆଉ ଏମାନଙ୍କୁ ସାଥ ଦେବାକୁ ବରିଷ୍ଠ ନେତା ବି ଅଛନ୍ତି । ଏହା କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ହୋଇପାରେ । ଯୁବ ଚେହେରାଙ୍କୁ ଆଗକୁ କରି କଂଗ୍ରେସ ୨୫ ବର୍ଷ ହେଲା ଥିବା ଦୟନୀୟ ସ୍ଥିତିରୁ ନିଜକୁ ବାହାର କରିବାକୁ ଏକ ସୁଯୋଗ ପାଇଛି । ଯାହା ଦଳର ବରିଷ୍ଠ ନେତାମାନେ ବୁଝିବା ଦରକାର । ନହେଲେ, ପୂର୍ବପରି ଗୋଡ଼ଟଣା ନୀତିରେ ଦଳ ଆହୁରି ରସାତଳକୁ ଚାଲିଯିବାର ମଧ୍ୟ ଆଶଙ୍କା ଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।