ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ନାଁ ଘୋଷଣା ପରେ ସାରା ଓଡ଼ିଶାରେ ଖୁସିର ମାହୋଲ । ଏପରିକି ତାଙ୍କ ବାସଭବନ ଆଗରେ ମଧ୍ୟ ଲୋକେ ସାରା ରାତି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ପରିବାର ଲୋକେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି । ଅନେକ ଶୁଭେଚ୍ଛୁ ଆସି ମୋହନ ମାଝୀ ଓ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ପାଇଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି । ସେ କହିଛନ୍ତି, ମୋ ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି । ସେଥିପାଇଁ ବହୁତ ଖୁସି ଲାଗୁଛି, ଗର୍ବ ଅନୁଭବ ମଧ୍ୟ କରୁଛି ।’
ସେ ଆହୁରି କହିଛନ୍ତି, ମୋ ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କେବେ ଭାବି ନ ଥିଲି । ହଁ ଆଶା ଥିଲା ସେ ମନ୍ତ୍ରୀ ହେବେ । ଲୋକଙ୍କ ସେବା କରିବାକୁ ତାଙ୍କୁ ବଛାଯାଇଛି । ସେ ଜୀବନସାରା ଲୋକମାନଙ୍କ ସେବା କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ତାରିଣୀଙ୍କ ଆଶୀର୍ବାଦ ଯୋଗୁଁ ଆଜି ଏ ଖୁସିର ମୁହୂର୍ତ୍ତ ଆସିଛି ।
ଆଜି ବିଧିବଦ୍ଧ ଭାବେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ଭବ୍ୟ ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ । ସେମାନେ ମଧ୍ୟ ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।