ଭୁବନେଶ୍ବର: କ୍ଷମତା ଯାଇଛି । ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ଯେଉଁ ନାଁ ରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ସେ ନାଁରେ ପୂର୍ବତନ ଲାଗିଯାଇଛି । ଆମେ କହୁଛୁ ନବୀନ ପଟ୍ଟନାୟକଙ୍କ କଥା । ଚଳିତ ନିର୍ବାଚନରେ ନବୀନଙ୍କ ୨୪ ବର୍ଷ ଶାସନର ଅନ୍ତ ଘଟିଛି । ରାଜ୍ୟରୁ ବିଜେଡି ସରକାର ଯାଇଥିବା ବେଳେ ବିଜେପି ସରକାର ଆଜିଠାରୁ ଶାସନ ଭାର ଗ୍ରହଣ କରିବାକୁ ଯାଉଛି । ଏହା ଭିତରେ ନବୀନ ପଟ୍ଟନାୟକ ନିଜର ସୋସିଆଲ ମିଡିଆ ପ୍ରୋଫାଇଲର ଷ୍ଟାଟସ୍ ବଦଳାଇ ଦେଇଛନ୍ତି ।
ପୂର୍ବରୁ ସୋସିଆଲ ମିଡିଆରେ ନବୀନ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲେଖୁଥିଲେ । ଏବେ ଏହାକୁ ବଦଳାଇ ବିଜୁ ଜନତାଦଳ ସଭାପତି ବୋଲି ସେ ଉଲ୍ଲେଖ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।
ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ଗାଦିଚ୍ୟୁତ ହୋଇଛନ୍ତି । ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବିଜେପି ଶାସନ । ଆଜି ଏକ ଭବ୍ୟ ସମାରୋହରେ ଶପଥ ନେବେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି । ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।
ଆଜିଠୁ ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମାରୋହରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ଏମ୍ପି ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗ ଦେବାକୁ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ।