Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡାରେ ବିଦ୍ୟୁତ ର ଲୁଚକାଳି ଖେଳ : ସପ୍ତାହ ହେଲା ଅନ୍ଧାରରେ ଅଧିକାଂଶ ଗ୍ରାମାଞ୍ଚଳ :ଉପଭୋକ୍ତା ହନ୍ତସନ୍ତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ କିଛିଦିନ ହେଲା ବିଦ୍ୟୁତ ଲୁଚକାଳି ଖେଳ ଉପଭୋକ୍ତାଙ୍କୁ ହନ୍ତସନ୍ତରେ ପକାଇଲାଣି l ସାମାନ୍ୟ ପବନ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ଚାଲିଯାଉଛି l ଏପଟେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ମନ ଇଚ୍ଛା ବିଦ୍ୟୁତକାଟ ଉପଭୋକ୍ତାଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିପକାଉଛି l ଚଳିତ ମାସ ୧୧ ତାରିଖରେ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ପ୍ରବାହରେ ପ୍ରବଳ ପବନ ଓ ବର୍ଷାରେ ବିଦ୍ୟୁତଖୁଣ୍ଟ ଭାଙ୍ଗି ଅଧିକାଂଶ ଗାଁକୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଇଛି। ବାଲିଗୁଡା ବ୍ଲକର ଅଧିକାଂଶ ପଞ୍ଚାୟତରେ ଆଜକୁ ଏକ ସପ୍ତାହ ହେଲା ସଜଡ଼ା ଯାଇନଥିବା ଯୋଗୁଁ ଅନ୍ଧାରରେ ରହିଛନ୍ତି। ବାଲିଗୁଡା ବ୍ଲକର ବଡଗାଁ, ସିନ୍ଦ୍ରିଗାଁ, ମାଣିକୁଟି, ବାଲିପଦର ଭଳି ଅନେକ ଗ୍ରାମରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯିବା ଯୋଗୁଁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ବିଦ୍ୟୁତ ସେବା ଦ୍ୱାରା ନିଜ ପରିବାର ପ୍ରତିପୋଷଣ କରି ଚଳୁଥିବା ଅଞ୍ଚଳର ବିଭିନ୍ନ ଧାନକଳ, ଚୁନା କଳ, ହଳଦୀ କଳ, କମ୍ପ୍ୟୁଟର, ଇଣ୍ଟର ନେଟ ସେବା ଭଳି ବିଭିନ୍ନ ସେବା ଯୋଗାଉଥିବା ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଇ ଦୁଇ ଦିନ ତଳେ ଅଞ୍ଚଳର କେତେକ ସାହିରେ ବିଦ୍ୟୁତ ନ ଥିବା ନେଇ କାର୍ଯ୍ୟାଳୟକୁ ଅଭିଯୋଗ ଦେବା ପାଇଁ ଯାଇଥିବା ସମୟରେ କାର୍ଯ୍ୟାଳୟ ବନ୍ଦ ରହିଥିଲା l ହଠାତ ବିଦ୍ୟୁତ ସେବା ଚାଲିଗଲେ ଅଭିଯୋଗ କରିବାର ଦୀର୍ଘ ସମୟ ପରେ ମଧ୍ୟ ସମାଧାନ ହୋଇପାରୁ ନଥିବା ଯୋଗୁଁ ଅଞ୍ଚଳରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଉଛି l ଅଭିଯୋଗ କଲ ସେଣ୍ଟରରେ ଅଭିଯୋଗ କରିବାର ଦୀର୍ଘ ସମୟ ପରେ ମଧ୍ୟ ସମାଧାନ ନ ହେଲେ ବାଲିଗୁଡାର ବିଦ୍ୟୁତ କାର୍ଯ୍ୟାଳୟ କୁ ଅଭିଯୋଗ କରିବାକୁ ଗଲେ ଅଧିକାଂଶ ସମୟ ବନ୍ଦ ରହୁଛି, ଆଉ ଯେତିକି ସମୟ ଖୋଲା ଯାଉଛି, ସେହି ସମୟରେ ଅଭିଯୋଗ କଲେ ଅଭିଯୋଗ ଗ୍ରହଣ ନ କରି ଉପଭୋକ୍ତା ଙ୍କୁ ହଇରାଣ ହରକତ କରାଯାଉଛି । ବିଭାଗୀୟ ଅଧିକାରୀ ମୋବାଇଲ କୁ ବନ୍ଦ କରି ରଖୁଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି l ଅପରପଟେ ବିଭାଗର କିଛି କର୍ମଚାରୀ କହିଛନ୍ତି ଯେ, କାଳ ବୈଶାଖୀରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଉପରେ ବଡ ବଡ ଗଛ ପଡିଥିବାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଛି, ଏଣୁ ସେହି ସବୁ ଗାଁକୁ ଯାଇ ଜରୁରୀ କାଳୀନ ଭିର୍ତ୍ତି ରେ ସଜାଡୁଛନ୍ତି, ତେଣୁ କାର୍ଯ୍ୟାଳୟରେ ପ୍ରାୟ କେହି ରହୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ