ଆଜି ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର : ସବୁ କ୍ଷେତ୍ରରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା। ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଆଜି ଅପରାହ୍ନରେ ଖୋର୍ଦ୍ଧା ଯିବେ ମୁଖ୍ୟମନ୍ତ୍ରୀ। ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ପ୍ରାଥମିକ ଶିକ୍ଷା କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାର ରୂପରେଖକୁ ବଦଳାଇ ଦିଆଯାଇଛି। ସେଠାରେ ଗଢିଉଠିଛି  ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତ ହେବ । ସେ ସଂପର୍କରେ ଗବେଷଣା ତାଲିମ କେନ୍ଦ୍ର ମଧ୍ୟ ଚାଲିବ ।

ଉଦ୍‌ଘାଟନ ପରେ ଏକ ସାଧାରଣ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ଓ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି  । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।