ନୂଆଦିଲ୍ଲୀ: ଆଜି ସୁପର-୮ରେ ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଏହି ମୁକାବିଲା ବାର୍ବାଡୋସରେ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ । ତେବେ ଆଜିର ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କେମିତି ରହିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଲିଗ୍ ପର୍ଯ୍ୟାୟର ସବୁ ମ୍ୟାଚରେ ଦଳ ସମାନ ଚୂଡାନ୍ତ ଏକାଦଶ ନେଇ ଖେଳିଥିଲା । ମାତ୍ର ଏବେ ପରିସ୍ଥିତି ବଦଳି ସାରିଛି ଏବଂ ଚ୍ୟାଲେଞ୍ଜ ଅନେକ ରହିଛି । କାରଣ ବିଶ୍ୱକପ୍ ଆମେରିକାରୁ ୱେଷ୍ଟଇଣ୍ଡିଜକୁ ଆସି ସାରିଛି । ଏଠାକାର ପରିବେଶ ଏବଂ ପିଚ୍ ଭିନ୍ନ ରହିଛି । ତେଣୁ ରୋହିତ ଶର୍ମା ଚୂଡାନ୍ତ ଏକାଦଶରେ ଗୋଟିଏ କି ଦୁଇଟି ପରିବର୍ତ୍ତନ କରି ପାରନ୍ତି ।
ୱେଷ୍ଟଇଣ୍ଡିଜର ପିଚ୍ ସ୍ପିନରଙ୍କ ପାଇଁ ବେଶ ଅନୁକୂଳ ରହିଥାଏ । ଏହି କାରଣରୁ ଦଳଗୁଡିକ ଅତି କମରେ ଦୁଇ ଜଣ ସ୍ପିନରଙ୍କୁ ନେଇ ଖେଳିଥାନ୍ତି । ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ରୂପେ ଦୁଇ ଜଣ ସ୍ପିନର ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଥିବାରୁ ଭାରତ ପାଖରେ ତୃତୀୟ ସ୍ପିନରଙ୍କୁ ଖେଳାଇବାର ବିକଳ୍ପ ରହିଛି । ଏମିତି ସ୍ଥିତିରେ ରୋହିତ ଶର୍ମା ମହମ୍ମଦ ସିରାଜ କିମ୍ବା ଅର୍ଶଦୀପ ସିଂଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ କୁଲଦୀପ ଯାଦବଙ୍କୁ ସୁଯୋଗ ଦେଇ ପାରନ୍ତି । କୁଲଦୀପ ଖେଳିଲେ ଦଳରେ ସ୍ପିନରଙ୍କ ବିବିଧତା ବଢୁଛି ।
ଏ ପର୍ଯ୍ୟନ୍ତ ଭାରତୀୟ ଦଳରେ ତିନି ବିଶେଷଜ୍ଞ ଦ୍ରୁତ ବୋଲର ଖେଳି ଆସିଛନ୍ତି । ତେଣୁ ସେମାନଙ୍କ କାର୍ଯ୍ୟଭାର ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହା ବାଦ୍ ଭାରତୀୟ ଦଳରେ କୌଣସି ପ୍ରକାରର ପରିବର୍ତ୍ତନର ସମ୍ଭାବନା ନାହିଁ । ବିରାଟ କୋହଲି ଓ ରୋହିତ ଶର୍ମା ଇନିଂସ ଓପନ କରିବେ । ଏହା ପରେ ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେଙଯକ ପରି ବ୍ୟାଟର ଖେଳିବେ । ନମ୍ବର-୬ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନମ୍ବର-୭ରେ ରବୀନ୍ଦ୍ର ଜାଡେଜା ରହିବେ । ଅବଶିଷ୍ଟ ବୋଲର ନିଜର ଦାୟିତ୍ୱ ସମ୍ଭାଳିବେ ।
ଭାରତୀୟ ଦଳର ସମ୍ଭାବିତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ(ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ।