ନୂଆଦିଲ୍ଲୀ: ୟୁଜିସି-ନେଟ୍ ଓ ନିଟ୍ ପରୀକ୍ଷାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହା ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଶୀଘ୍ର ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନଟିଏରେ ବଡ ଧରଣର ତ୍ରୁଟି ହୋଇଥିବା ଜଣା ପଡିଛି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମସ୍ତ ମାମଲାକୁ ନେଇ ଆଭ୍ୟନ୍ତରୀଣ ତଦନ୍ତ କରାଯାଉଛି । ଏନଟିଏରେ ବ୍ୟବସ୍ଥା ସୁଧାରିବା ପାଇଁ ଏକ କମିଟି ଗଠନ କରାଯାଉଛି । ମୁଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ସ୍ୱୀକାର କରୁଛି । ଶିକ୍ଷା ମନ୍ତ୍ରୀ ହୋଇଥିବାରୁ ମୁଁ ନିଜକୁ ନୈତିକ ଦାୟୀ ମନେ କରୁଛି ।ନିଟ୍ ଓ ୟୁଜିସି ନେଟ୍ ମାମଲା ଅଲଗା ଅଲଗା ହୋଇଥିବାରୁ ସବୁ ଦିଗରୁ ତଦନ୍ତ କରାଯାଉଛି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେ ଦେଶର ଲକ୍ଷାଧିକ ଛାତ୍ର-ଛାତ୍ରୀଙ୍କୁ ଅପିଲ୍ କରୁଛୁ ଯେ, ପିଲାଙ୍କ ଭବିଷ୍ୟତ ଆମ ପାଇଁ ସର୍ବୋପରି । ସେମାନଙ୍କ ଭବିଷ୍ୟତ ସହ କୌଣସି ପ୍ରକାରର ସାଲିସ ହେବାକୁ ଦିଆଯିବ ନାହିଁ । ଯିଏ ବି ଦୋଷୀ କଦାପି ଛଡାଯିବ ନାହିଁ । ବିହାର ପୋଲିସ ନିଟ ମାମଲାରେ ଯାଞ୍ଚ କରୁଛି । ଶୀଘ୍ର ଏହା ଉପରୁ ପରଦା ହଟିବ ।
ସାଂସଦ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ହୋଇଥିବା ପ୍ରଶ୍ନ ଉପରେ ଧର୍ମେନ୍ଦ୍ର କହିଛନ୍ତି, ଆଜି ମୁଁ ରାଜନୈତିକ କଥା କହିବାକୁ ଚାହୁଁନି । ମାତ୍ର ଏହା ବିଶ୍ୱାସ ଦେବାକୁ ଚାହୁଁଛି ଯେ, କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ । ଆମକୁ ନିଜର ବ୍ୟବସ୍ଥା ଉପରେ ଭରସା ରଖିବା ଉଚିତ୍ । ସରକାର କୌଣସି ପ୍ରକାରର ଅନିୟମିତତାକୁ ବରଦାସ୍ତ କରିବେ ନାହିଁ । କିଛି ତ୍ରୁଟିକୁ ନେଇ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇ ପାରିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।