ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ


ଜଳେଶ୍ବର: ବାଲେଶ୍ବର ଜିଲ୍ଲା ମିରିଗିମୁଣ୍ଡି ଛପରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସହ ପିଟି ହୋଇ ଜଳିଗଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନେଇ ଯାଉଥିବା ବେଳେ ମିରିଗିମୁଣ୍ଡି ଛକରେ ଏକ କଣ୍ଟେନର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସଟିରେ ନିଆଁ ଲାଗି ଯାଇଥିଲା । ରାସ୍ତା ଉପରେ ଆମ୍ବୁଲାନ୍ସଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ବାହାର କରିଦିଆଯାଇଥିଲା । ଆମ୍ବୁଲାନ୍ସଟି ବସ୍ତାରୁ ରୋଗୀ ନେଇ ବାଲେଶ୍ୱର ଯାଉଥିବା ଜଣାପଡିଛି ।

ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଘଟଣା ସ୍ଥାଳରୁ ଫେରାର ହୋଇଯାଇଛି । ରୁପସା ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।