ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ହରାଇ ଦିନିକିଆ ବିଶ୍ୱକପର ପ୍ରତିଶୋଧ ନେଲା ଆଫଗାନିସ୍ତାନ


ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ହରାଇ ବଡ ଧରଣର ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହା ସହିତ ନିଜ କ୍ରିକେଟ୍ ଇତିହାସରେ ସବୁଠୁ ବଡ ବିଜୟ ହାସଲ କରିଛି । ଏହି ବିଜୟ ସହିତ ଆଫଗାନିସ୍ତାନ ଅଷ୍ଟ୍ରେଲିଆ ଠାରୁ ୨୦୨୩ ଦିନିକିଆ ବିଶ୍ୱକପର ପ୍ରତିଶୋଧ ନେଇଛି । ଭାରତରେ ଖେଳା ଯାଇଥିବା ଉକ୍ତ ବିଶ୍ୱକପରେ ଆଫଗାନିସ୍ତାନ ଜିତିବା ଦ୍ୱାର ଦେଶରେ ପହଞ୍ଚିକି ବି ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ଗ୍ଲେନ ମ୍ୟାକ୍ସୱେଲ ଦ୍ୱିତଶତକ ହାସଲ କରି ଦଳକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ । ଆଉ ଆଜିର ମ୍ୟାଚରେ ମ୍ୟାକ୍ସୱେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୨୦୨୩ର ପୁନରାବୃତ୍ତି ଘଟାଇ ପାରି ନାହାନ୍ତି । ଆଉ କଙ୍ଗାରୁ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି ।

ସେଣ୍ଟ ଭିନସେଣ୍ଟରେ ଖେଳା ଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ କରିଥିଲା । ଦଳ ପକ୍ଷରୁ ଦୁଇ ଓପନର ରେହମନତୁଲ୍ଲା ଗୁରବାଜ ଓ ଇବ୍ରାହିମ ଜାରଦାନ ଶତକୀୟ ଭାଗିଦାରୀ ଯୋଡିଥିଲେ । ଗୁରବାଜ ୪୯ ବଲରୁ ୪ ଚୌକା ଓ ୪ ଛକା ସହ ୬୦ ରନ କରିଥିଲେ । ଇବ୍ରାହିମ ମଧ୍ୟ ୪୮ ବଲରୁ ୬ ଚୌକା ଜରିଆରେ ୫୧ ରନର ଇନିଂସ ଖେଳିଥିଲେ । ୧୫.୫ ଓଭରରେ ଦୁଇ ବ୍ୟାଟର ୧୧୮ ରନ ଯୋଡିଥିଲେ । ତେବେ ଉଭୟଙ୍କ ଆଉଟ୍ ପରେ ଆଫଗାନିସ୍ତାନ ଲଗାତାର ୱିକେଟ୍ ହରାଇବାରୁ ୧୪୮ ରନ କରିପାରିଥିଲା ।

ଜବାବରେ ଅଷ୍ଟ୍ରେଲିଆ ଗ୍ଲେନ ମ୍ୟାକ୍ସୱେଲକୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ । ଆଫଗାନିସ୍ତାନ ବୋଲର ଗୁଲବଦିନ ନାଇବ ଓ ନବୀନ ଉଲ ହକ୍ ଘାତକ ବୋଲିଂ କରି ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଗ୍ଲେନ ମ୍ୟାକ୍ସୱେଲ ୪୧ ବଲରୁ ୬ ଚୌକା ଓ ୩ ଛକା ସହ ୫୯ ରନ କରିଥିଲେ । ତାଙ୍କ ଆଉଟ୍ ପରେ କଙ୍ଗାରୁ ଦଳର ବିଜୟ ଆଶା ମଉଳି ଯାଇଥିଲା । ଆଉ ଦଳ ୧୯.୨ ଓଭରରେ ୧୨୭ ରନରେ ଅଲଆଉଟ୍ ହୋଇଛି । ଆଉ ଆଫଗାନିସ୍ତାନ ୨୦୨୩ ଦିନିକିଆ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିଛି ।