କାହାକୁ ଛାଡ଼ିବୁ ନାହିଁ, କଡ଼ାଗଣ୍ଡା ହିସାବ ଆଦାୟ କରାଯିବ; କେନ୍ଦୁଝରରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


କେନ୍ଦୁଝର:  ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମ ମାଟି କେନ୍ଦୁଝର ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଏହି ସମୟରେ ତାଙ୍କୁ ଆଜି ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। କେନ୍ଦୁଝରର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ରାଜ୍ୟରେ ୨୪ ବର୍ଷ ହେଲା ପୂର୍ବରୁ କ୍ଷମତାରେ ରହିଥିବା ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ପୂର୍ବ ସରକାରରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା ମୋହନ ମାଝୀ କହିଛନ୍ତି।

ସେ ସାଧାରଣ ସମ୍ବର୍ଦ୍ଧନା ସଭାକୁ ସମ୍ବୋଧିତ କରି କହିଛନ୍ତି, “କେନ୍ଦୁଝର ଖଣି ଲୁଟ୍‌ରେ ପୂର୍ବର ବିଜେଡି ରାଜ୍ୟ ସରକାର ସମ୍ପୃକ୍ତ ରହିଛି। ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା। କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି, ସେମାନେ ମୋ ନଜରରେ ଅଛନ୍ତି। କେହି ବି ବର୍ତ୍ତି ପାରିବେ ନାହିଁ। ସମସ୍ତଙ୍କୁ ଜେଲ୍ ପଠାଇବୁ।

କାହାକୁ ଛାଡ଼ିବୁ ନାହିଁ। ସମସ୍ତଙ୍କ ଠାରୁ କଡ଼ାଗଣ୍ଡା ହିସାବ ଆଦାୟ କରାଯିବ। ଅଣଓଡ଼ିଆଙ୍କୁ କେନ୍ଦୁଝରରୁ ବିଦା କରାଯିବ। ମୁଁ ପୂର୍ବ ସରକାରଙ୍କୁ ବିରୋଧ କରିବାରୁ ମୋତେ ଲୋଭ ଦେଇ ବିଜେଡିରେ ସାମିଲ କରିବାକୁ ଚାହୁଁଥିଲେ। ହେଲେ ମୋହନ ଭାଇ ବିକାଉ ନୁହଁ, ଟିକାଉ ଥିଲେ। ଏଣୁ ଲୋକମାନେ ତାଙ୍କୁ ଆଜି ମୁଖ୍ୟ ସେବକ କରିଛନ୍ତି।

ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢ଼ୁଥିଲି। ଏଥିପାଇଁ ସରକାର ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ମଧ୍ୟ ସେତେବେଳେ ଯାଚୁଥିଲେ। ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତ୍ୱତ୍ୱ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୁହଁ ମୋହନ ଭାଇ। ଲୋକଙ୍କ ଭଲ ପାଇବା ପାଇ ମୁଁ ମୋହନ ଭାଇ ହୋଇ ରହିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଆସି କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଦର୍ଶନ କରିଥିଲେ। ଏହି ସମୟରେ ପହଣ୍ଡିଆ ସଂଘ ପକ୍ଷରୁ ମନ୍ଦିରର ଉନ୍ନତି ନିମନ୍ତେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।  ମୋହନ କହିଥିଲେ ମୁଁ ସମସ୍ୟା ସଂମ୍ପକରେ ସବୁ ଜାଣିଛି। ଆଉ ମୋର ପାରୁ ପର୍ଯ୍ୟନ୍ତ ମନ୍ଦିରର ଉନ୍ନତି ପାଇଁ ଚେଷ୍ଟା କରିବି ଓ ସେଥିରେ ମୋର ମଙ୍ଗଳ ହେବ ବୋଲି କହିଥିଲେ।