ମହଙ୍ଗା ପଡ଼ିଲା ନାଗ ସହ ଖେଳ ; ସାପ କାମୁଡ଼ାରେ ସାପ ଧରାଲି ର ମୃତ୍ଯୁ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମେଣ୍ଡାମାଳ ଗାଁର ସାପ ଧରାଳୀ ଗୌର କୁମ୍ଭାର ନିକଟସ୍ଥ ଚମ୍ପମାଳ ଗାଁରୁ ଜଣକ ଘରେ ସାପଥିବା ଖବର ପାଇ ଯାଇଥିଲେ । ସୋମବାର ସେଠାରୁ ସାପଟିକୁ ଧରି ଫେରିବା ବାଟରେ ବୀରମହାରଜପୁର ଥାନାକୁ ଯାଇଥିଲେ । ତେବେ ସେ ସେଠାରେ ଉପସ୍ଥିତ କିଛି ପୋଲିସ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସାପ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଣୁ ସାପକୁ ଭର୍ତ୍ତି କରିଥିବା ଏକ ପ୍ଲାଷ୍ଟିକ (ଡବା)ଜାରରୁ ବାହରକୁ ଆଣି କିଛି ସମୟ ଖେଳାଇବା ପରେ ପୁଣି ଜାରରେ ଭର୍ତ୍ତି କରୁଥିଲେ ।

ସେହି ସମୟରେ ଅସାବଧାନତା ବସତଃ ସାପଟି ଗୌର କୁମ୍ଭାର (55 ବର୍ଷ) ଙ୍କ ହାତରେ କାମୁଡି ଦେଇଥିଲା । ତୁରନ୍ତ ଗୌରଙ୍କୁ ପୋଲିସ ଗାଡିରେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗୌର ଜଗଦଲାଙ୍କ ସେଠାରେ ମୃତ୍ୟୁ ହୋଇଯାଇଛି । ଗୌର ଆଜିକୁ୧୫ ବର୍ଷରୁ ଅଧିକ ସମୟ ହେଲା ଲୋକଙ୍କ ପାଖରୁ ଖବର ପାଇ ଯାଉଥିଲେ ଏବଂ ବିଷଧର ସାପକୁ ଉଦ୍ଧାର କରି ଜଙ୍ଗଲର ଛାଡି ଦେଉଥିଲେ । ହେଲେ ଅସାବଧାନତା ବସତଃ ସାପ କାମୁଡାରେ ତାଙ୍କର ପ୍ରାଣହାନୀ ଘଟିଗଲା । ମୃତକ ଙ୍କ ଦୁଇ ପୁଅ ଓ ଦୁଇ ଝିଅ ଥିବା ଜଣାଯାଇଛି I ଗୌର ସାପ ଧରିବାକୁ କୌଣସି ତାଲିମ ପାଇ ନଥିଲେ । ବନ ବିଭାଗର ନିୟମ ମୁତାବକ ପଂଜିକରଣ ପାଇଁ ସେ ଅନେକ ଥର ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ତାଙ୍କର ପଂଜିକରଣ ଏପର୍ଯ୍ୟନ୍ତ ହୋଇନ ଥିବା ଜଣାପଡ଼ିଛି ।