ଅନ୍ଧ ବିଶ୍ୱାସର କରୁଣ ପରିଣତି,ଗୁଣିଆ କୁ ଭରଷା କରି ଚାଲିଗଲା ଜୀବନ


ହାଟଡିହି,୨୫l୬:ଅନ୍ଧ ବିଶ୍ୱାସର କରୁଣ ପରିଣତି ପୁଣି ଦେଖିବାକୁ ମିଳିଛି l ଘରେ ଶୋଇଥିବା ଅବସ୍ଥାରେ ଜଣେ ଆଦିବାସୀ ଯୁବକଙ୍କୁ ବିଷାକ୍ତ ସାପ କାମୁଡି ଦେଇଥିଲା l ବିଷ ଝାଡ଼ିବାକୁ ଗୁଣିଆ ସାଜିଥିଲା ଭରଷା l ପରିବାର ଲୋକ ଗୁଣିଆ ପାଖକୁ ଯାଇଥିଲେ l ପ୍ରାୟ ୪ ଘଣ୍ଟାର କସରତ ପରେ ଶେଷରେ ଯୁବକ ଜଣକୁ ମେଡିକାଲ ନେଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଏପରି ଘଟଣା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜାବିନପୁର ଗାଁରେ ଦେଖିବାକୁ ମିଳିଛି l ଗ୍ରାମର ସ୍ବର୍ଗତଃ ମଥୁରା ମୁଣ୍ଡାଙ୍କ ପୁଅ ମାନସ ମୁଣ୍ଡା(୩୦ ବର୍ଷ) ରାତିରେ ଘରେ ଶୋଇଥିବା ଅବସ୍ଥାରେ ପ୍ରାୟ ୧୧ ଟା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା l ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭାବ ଯୋଗୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଜଣେ ଗୁଣିଆ ନିକଟକୁ ନେଇ ଯାଇଥିଲେ। ସେଠାରେ ବିଷ ଝାଡ଼ିବାକୁ ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ମାନସ ଙ୍କୁ ଶାଳନିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଆନନ୍ଦପୁର ମେଡିକାଲ ନେଇ ଯିବାକୁ କହିବା ପରେ ଭୋର ପ୍ରାୟ ୫ ଟା ସମୟରେ ମାନସ ଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା l ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ତେବେଅନ୍ଧ ବିଶ୍ୱାସକୁ ଭରଷା କରି ଗୁଣିଆ ପାଖରେ ସମୟ ନଷ୍ଟ ନକରି ତୁରନ୍ତ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ ମାନସ ଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କୁହାଯାଉଛି l ନନ୍ଦିପଦା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଛି l ଏକ ଅପମୃତ୍ୟୁ ମାମଲା ନଂ ୧୦/୨୦୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଛି l