ରାହୁଲ ଗାନ୍ଧୀ ହେଲେ ବିରୋଧୀ ଦଳ ନେତା


ନୂଆଦିଲ୍ଲୀ: ଏଥର ଲୋକସଭାରେ ଜମିବ ତର୍କ, ବିତର୍କ । ଗରମାଗରମ ହେବ ଆଲୋଚନା । କାରଣ ରାହୁଲ ହୋଇଛନ୍ତି ବିରୋଧ ଦଳ ନେତା । ଲୋକସଭାରେ ସାମ୍ନାସାମ୍ନି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରସ ପକ୍ଷରୁ ରାହୁଲ ବିରୋଧୀ ଦଳ ନେତା ହୋଇଥିବା ଘୋଷଣା କରାଯାଇଛି । ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି । 

କଂଗ୍ରେସ ୱାର୍କିଂ କମିଟି(CWC) ପକ୍ଷରୁ ରାହୁଲଙ୍କୁ ବିରୋଧୀ ଦଳର ନେତା କରିବାକୁ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା । ରାହୁଲଙ୍କୁ ବିରୋଧୀ ଦଳ ନେତା ପଦ ସମ୍ଭାଳିବାକୁ କୁହାଯାଇଥିଲା । କେବଳ କଂଗ୍ରେସ ନୁହେଁ, ବିରୋଧୀ ମେଣ୍ଟରେ ଥିବା ସହଯୋଗୀ ଦଳଗୁଡ଼ିକ ମଧ୍ୟ ରାହୁଲଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରସ୍ତାବ ଦେଇଥିଲେ । ରାହୁଲ ଏହାକୁ ଗ୍ରହଣ କରି ନେଇଥିଲେ । ଫଳରେ କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି ।

ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଉଭୟ ରାଏବରେଲୀ ଓ କେରଳର ୱାୟନାଡଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କୁ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଛି । ଏଠାରେ ହେବାକୁ ଥିବା ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହେବେ ।

ସେହିପରି ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ଲୋକସଭାରେ ୯୯ଟି ଆସନ ଜିତିଛି । ବିରୋଧୀ ମେଣ୍ଟ ଇଣ୍ଡିଆ ପାଖରେ ୨୩୩ ଜଣ ସାଂସଦ ରହିଛନ୍ତି ।