ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ଗାଇ ପଘା ସହ ଖେଳିବା ଜଣେ ନାବାଳକ ପାଇଁ ହୋଇଛି କାଳ । ପଘା ବେକରେ ଗୁଡାଇ ହୋଇଯିବାରୁ ନାବାଳକ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଆସିକା ଥାନା କମାଗ ଗାଁରେ ଘଟିଛି । ମୃତ ନାବାଳକ କାମରାଜୁ ସେଠୀ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ କାମରାଜୁ ଘର ଭିତରେ ଖେଳୁଥିବା । ପରିବାର ଲୋକେ ଘରେ କାମରେ ବ୍ୟସ୍ତ ଥିବା ବେଳେ ସେ ଏକା ଖେଳୁଥିଲା । ଏହି ସମୟରେ ସେ ଝରକା ପାଖକୁ ଯାଇ ବାହାର ପଟକୁ ଥିବା ଗାଇ ପଘକୁ ଧରି ଖେଳରେ ମସ୍ତ ଥିଲା । ହେଲେ ସେ ଜାଣି ନଥିଲା ଏହି ଗାଇ ପଘା ତା’ପାଖକୁ ଜମଦୂତ ସାଜି ଆସିଛି ବୋଲି । ଖେଳରେ ଖେଳରେ ପିଲାଟି ଗାଇ ପଘାକୁ ବେକରେ ଗୁଡାଇ ଦେଇଥିଲା । ତେବେ କୌଣସି ପ୍ରକାରେ ପଘାଟି ତା’ ବେକରେ ଭିଡ଼ି ହୋଇଯାଇଥିଲା । ଫଳରେ ଶ୍ବାସରୁଦ୍ଧ ହୋଇ କାମରାଜୁର ମୃତ୍ୟୁ ଘଟିଥିଲା ।
କିଛି ସମୟ ପରେ ପରିବାର ଲୋକେ କାମରାଜୁକୁ ଅଚେତ ଅବସ୍ଥାରେ ତଳେ ପଡିଥିବା ଦେଖିଥିଲେ । ସେମାନେ ତୁରନ୍ତ ତାକୁ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।