Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରକୁ ସାଂସ୍କୃତିକ,ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

ସମ୍ବଲପୁର: ଭାରତ ବର୍ଷର କେତେକ ଉଦାହରଣ ଦେଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସାଂସ୍କୃତିକ,ଆଧ୍ୟାତ୍ମିକ ଓ ମନୋରଞ୍ଜନ ଆକର୍ଷଣ ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି।
ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବା ପାଇଁ ଏହି ଚିଠିରେ ଉଲ୍ଲେଖ ରହିଛି।
କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ ‘ବିକାଶ ବି, ବିରସାତ୍ ବି’ ଅଧୀନରେ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଥିବା ସମାନତା ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆମର ବହୁ ପୁରୁଣା ଐତିହ୍ୟ ଏବଂ ସଂସ୍କୃତିର ସଂରକ୍ଷଣ କରିବା ସହିତ ଜନସାଧାରଣଙ୍କ ସୁବିଧା ପାଇଁ ଭବିଷ୍ୟତର ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ସହିତ ଆଧୁନିକୀକରଣ କରୁଛନ୍ତି।ଓଡ଼ିଶାରେ ମଧ୍ୟ ଅନେକ ପୀଠ, ମନ୍ଦିର, ଐତିହ୍ୟ ସ୍ଥଳୀ ଓ ପ୍ରାକୃତିକ ଆକର୍ଷଣସ୍ଥଳୀରେ ପରିପୂର୍ଣ୍ଣ ରହିଛି । ଅନେକ ନଦୀ ଓ ଐତିହାସିକ ସ୍ଥଳୀରେ ପୂର୍ଣ୍ଣ ଓଡ଼ିଶା ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ବିକଶିତ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ସାବରମତୀ ରିଭରଫ୍ରଣ୍ଟ ଏବଂ କାଶୀ ରିଭରଫ୍ରଣ୍ଟରେ ଏହିଭଳି କାମ କରାଯାଇଛି । ଏହା ଦ୍ୱାରା ଉକ୍ତ ସ୍ଥାନଟି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ବେଶ୍ ସହାୟକ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସହାୟକ ହୋଇଛି । ବାରାଣାସୀରେ ‘ନମୋ ରିଭରଫ୍ରଣ୍ଟ ପ୍ରକଳ୍ପ’ ମଧ୍ୟ ଗଙ୍ଗା ନଦୀ କୂଳରେ ଥିବା ‘ଖିଡକିଆଘାଟ’କୁ ସାଂସ୍କୃତିକ କାର୍ଯ୍ୟପନ୍ଥାକୁ ଜୀବନ୍ତ କରିଛି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାନଦୀ କୂଳରେ ଅବସ୍ଥିତ ସମ୍ବଲପୁରର ଐତିହାସିକ ମହତ୍ତ୍ୱ ଓ ପ୍ରାକୃତିକ ଆକର୍ଷଣ ରହିଛି । ମହାନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବିଶ୍ୱସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ସମ୍ବଲପୁରର ଆଧ୍ୟାତ୍ମିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ତଥା ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଯୋଗ କରିବା ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ମହାନଦୀ ପାର୍ଶ୍ୱରେ ଥିବା ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ ରିଭରଫ୍ରଣ୍ଟ ଥିବା ୭ କିଲୋମିଟର ଲମ୍ବା ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହି ପୁରୁଣା ବନ୍ଧର ନବୀକରଣ ଦ୍ୱାରା ଜଳଭଣ୍ଡାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।ଏହି ଜଳ ଭଣ୍ଡାର ହୀରାକୁଦ ଜଳ ଭଣ୍ଡାରର ବିଦ୍ୟୁତ୍ ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରା ଯାଇପାରିବ ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମହାନଦୀରେ ଆବଶ୍ୟକ ପୋଖରୀ ସୃଷ୍ଟି କରିପାରିବ । ବିଦ୍ୟମାନ ଅଚଳ ସ୍ଲୁଇସ୍ ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରିବ କିମ୍ବା ବନ୍ଧକୁ ସୁରୁଖୁରୁରେ ଚଳାଇବା ପାଇଁ ନୂତନ ଢାଞ୍ଚା ସହିତ ବଦଳାଯାଇପାରିବ ।ନୌକା ବିହାର ସହିତ ସ୍ନାନ ଘାଟ ମଧ୍ୟ ସମ୍ଭବ। ଆରତି ଘାଟ ନିକଟରେ ଥିବା ଦଳ ଗୁଡ଼ିକୁ ସଫା କରାଯାଇ ନଦୀକୂଳରେ ସଠିକ୍ ଭାବରେ ଜଳ ଯୋଗାଣ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ସମ୍ବଲପୁର ସହରରେ ଡ୍ରେନେଜ୍ ସମସ୍ୟାକୁ ହ୍ରାସ କରିବା ପାଇଁ ପ୍ରସ୍ତାବିତ ପୋଖରୀକୁ ସଂଯୋଗ କରୁଥିବା ସମସ୍ତ ନାଳରେ ସ୍ଲୁଇସର ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରିବା ସମ୍ଭାବନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ସମ୍ବଲପୁରରେ ମହାନଦୀ କୂଳରେ ଉପରୋକ୍ତ ରିଭରଫ୍ରଣ୍ଟ ଉନ୍ନୟନ ପ୍ରକଳ୍ପ ଏକ ରୋମାଞ୍ଚକର ଦୃଶ୍ୟ ସୃଷ୍ଟି କରିଛି । ଏଠାରେ ପାର୍କ, ୱାକ୍ ୱେ, ଜିମ୍, ଆମ୍ଫିଥିଏଟର, ଆରତୀ ଘାଟ ଏବଂ ନଦୀ କୂଳରେ ଗାଧୋଇବା ଭଳି ସୁବିଧା ସୁଯୋଗ ସୃଷ୍ଟି କରିପାରିବ। ଏହା କେବଳ ଏହି ଅଞ୍ଚଳର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବ ନାହିଁ ବରଂ ଏହାର ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢାଇବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଫଳରେ ମହାନଦୀ ସାଂସ୍କୃତିକ, ମନୋରଞ୍ଜନ ଓ ଅର୍ଥନୈତିକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିପାରିବ ବୋଲି ପତ୍ର ରେ ଦର୍ଶାଯାଇଛି। ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ । ସମ୍ବଲପୁରରେ ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ଏହି ଅଞ୍ଚଳର ଅପର୍ଯ୍ୟାପ୍ତ ସମ୍ଭାବନାକୁ ପ୍ରସ୍ଫୁଟିତ କରିପାରିବ ଏବଂ ସମ୍ବଲପୁରକୁ ଭାରତର ଏକ ସମୃଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯାଇପାରିବ । ସମ୍ବଲପୁର ଐତିହ୍ଯ ଓ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ବ୍ୟକ୍ତିଗତ ଭାବରେ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।
ତେବେ ସବୁଠୁ ବଡ ପ୍ରଶ୍ନ ହେଲା ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପତ୍ରକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଧର୍ମେନ୍ଦ୍ରଙ୍କୁ କ’ଣ ଉତ୍ତର ଦେଉଛନ୍ତି। ଏହି ଚିଠିର ଉତ୍ତରକୁ କେବଳ ସମ୍ବଲପୁର ନୁହେଁ ବରଂ ସମଗ୍ର ପଶ୍ଚିମ ଓଡିଶା ବାସୀଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ