Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସ୍କ୍ରବ ଟାଇଫସ ନେଲା ମହିଳାଙ୍କ ଜୀବନ

ସମ୍ବଲପୁର:ସ୍କ୍ରବ ଟାଇଫସ୍ ନେଲା ଜୀବନ।ସମ୍ବଲପୁର ଜିଲ୍ଲାରେ ଘଟିଛି ଏଭଳି ପ୍ରଥମ ଘଟଣା। ଜମନକିରା ବ୍ଲକ ମୁଣ୍ଢେନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜିକୁଦ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।ଘାରିଛି ସଭିଙ୍କୁ ଚିନ୍ତା।
ଗ୍ରାମର କଳ୍ପେଶ୍ୱର ପଣ୍ଡାଙ୍କ ସ୍ତ୍ରୀ କିସ୍ମିତା ପଣ୍ଡା ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତ ହୋଇ ମଙ୍ଗଳବାର ବରଗଡ଼ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ପ୍ରାଣ ହରାଇଛନ୍ତି।
ସୂଚନା ଅନୁସାରେ କିସ୍ମିତା ଗତ ୭ ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ଜ୍ଵର ହୋଇଥିଲା। ପ୍ରଥମେ ସମ୍ବଲପୁର ସହରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଗଲା। ସେଠାରେ ତାଙ୍କର ଚିକତ୍ସା ସହିତ ବିଭିନ୍ନ ପରୀକ୍ଷା ସହିତ ସ୍କ୍ରବ ଟାଇଫସ ପରୀକ୍ଷା ମଧ୍ୟ କରାଯାଇଥିଲା। କିନ୍ତୁ ସେଠାରେ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ ହୋଇ ନ ଥିଲା। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ ସହରର ଏକ ଘରୋଇ ଡାକ୍ତରଖାନାକୁ ନେଇ ପରିବାର ଲୋକେ ଭର୍ତ୍ତି କରିଥିଲେ। ସେଠାରେ କିନ୍ତୁ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ ହୋଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା। କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ୮ ଘଣ୍ଟା ସମୟରେ କିସ୍ମିତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।
ତାଙ୍କର ମର ଶରୀର ଗାଁରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିସ୍ଥିତିରେ ଶେଷକୃତ୍ୟ ଭେଜିକୁଦ ଗ୍ରାମର ଶ୍ମଶାନରେ କରାଯାଇଥିଲା। ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛନ୍ତି।ତାଙ୍କ ପୁତୁରା ଆୟୁଷ ପଣ୍ଡା ମୁଖାଗ୍ନି ଦେଇଥିଲେ। କିସ୍ମିତାଙ୍କ ମୃତ୍ୟୁରେ ଭେଜିକୁଦ ଗ୍ରାମ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ସ୍ତବ୍ଦ ହୋଇଯିବା ସହିତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍କ୍ରବ୍ ଟାଇଫସ ରୋଗରେ ଜଣେ ମହିଳାଙ୍କ ମୃତ୍ୟୁପରେ ସମଗ୍ର ସମ୍ବଲପୁର ଜିଲ୍ଲାରେ ମଧ୍ୟ ଭୟର ବାତାବରଣ ତିଆରି ହୋଇଛି।ଏହାର ସତର୍କତା ସହିତ ମୃତ୍ୟୁ ଏଡାଇବାକୁ ନେଇ ଜିଲ୍ଲା ସ୍ତରରେ ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି।