Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରରେ ନିଆରା ମହରମ ପର୍ବ,୧୦ ପିଢ଼ି ଧରି ମହକୁଛି ଭାଇଚାରା

ସମ୍ବଲପୁର:ସମ୍ବଲପୁରରେ ଏଥର ମଧ୍ୟ ଦେଖିବାକୁ ମିଳିଛି ନିଆରା ମହରମ୍ ପର୍ବ।ହିନ୍ଦୁ ମୁସଲିମ୍ ଙ୍କ ଭାଇଚାରାରେ ପାଳିତ ହୋଇଛି ମହରମ।
ମୁସଲମାନ ସଂପ୍ରଦାୟର ଅନ୍ୟତମ ପ୍ରମୁଖ ପର୍ବ ହେଉଛି ମହରମ l ତେବେ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ମହରମ ପାଇଁ ହେଉଥିବା ମିଳିତ ଶୋଭାଯାତ୍ରାକୁ ଅନୁମତି ନମିଳିବାରୁ ନିଜ ନିଜ ପଡାରେ ଲୋକେ ମହରମ ପାଳନ କରିଛନ୍ତି l ତେବେ ଏଥର ମଧ୍ୟ ସମ୍ବଲପୁରରେ ମହରମ ପର୍ବ ହିନ୍ଦୁ ମୁସଲିମ ଭାଇଚାରାର ନିଆରା ନିଦର୍ଶନ ଦେଖିବାକୁ ମିଳିଥିଲା l ପ୍ରତିବର୍ଷ ପରି ଏଥର ବି ସମ୍ବଲପୁର ରେ ମୁସଲମାନ ମାନଙ୍କ ସହ ଏକ ହିନ୍ଦୁ ପରିବାର ଏହି ମହରମ ପର୍ବ ପାଳନ କରିବାର ଦେଖିବାକୁ ମିଳିଛି l ହିନ୍ଦୁ ମୁସଲମାନ ଭାଇଚାରାର ଏକ ନିଦର୍ଶନ ସମ୍ବଲପୁର ମୋଦିପଡାର ପଢ଼ିଆରୀ ପରିବାରରେ ଦେଖିବାକୁ ମିଳିଛି l ଦୀର୍ଘ ୧୦ ପିଢ଼ି ହେବ ସମ୍ବଲପୁର ମୋଦିପଡ଼ାର ପଢ଼ିଆରୀ ପରିବାର ମହରମରେ ତାଜିଆ ବାହାର କରି ଏଭଳି ଏକ ନିଆରା ପରମ୍ପରା କୁ ବଜାୟ ରଖିଛନ୍ତି l ଯେଉଁଠି ଦେଶରେ ହିନ୍ଦୁ ମୁସଲମାନ ଶିଖ ଇସାଈ ପରି ଭିନ୍ନ ଭିନ୍ନ ପରମ୍ପରା ର ଲୋକେ ବସବାସ କରୁଥିବା ବେଳେ ସମସ୍ତେ ନିଜ ନିଜ ସଂସ୍କୃତି ପରମ୍ପରା କୁ ନେଇ ଗର୍ବିତ l କିନ୍ତୁ ଗୋଟିଏ ହିନ୍ଦୁ ପରିବାର ଦୀର୍ଘ ୧୦ ପିଢ଼ି ହେବ ଏଭଳି ଏକ ତାଜିଆ ବାହାର କରି ଭାଇଚାରାର ଏକ ଉଜ୍ଜ୍ବଳ ନମୁନା ପ୍ରଦର୍ଶନ କରୁଛନ୍ତି l
୧୬୬୪ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ବଜାୟ ରଖିଛନ୍ତି ସମ୍ବଲପୁର ମୋଦୀ ପଡ଼ାର ପଢ଼ିଆରୀ ପରିବାର l ସୂଚନା ଅନୁସାରେ ପଢ଼ିଆରୀ ପରିବାର ର ପୂର୍ବଜ ଜୟଦେବ ପଢ଼ିଆରୀ ୧୬୫୭ ମସିହାରେ ମୁସଲମାନ ମାନଙ୍କର ତୀର୍ଥସ୍ଥଳୀ ମକ୍କା ଯାଇଥିଲେ l ସେଠାରୁ ସେ ୧୬୬୩ ମସିହାରେ ଦୁଇ ଜଣ ଫକୀର ଙ୍କୁ ନେଇ ସମ୍ବଲପୁର ଚାଲି ଆସିଥିଲେ l ସେମାନେ ହେଲେ ସୟଦ ମସ୍ତାନ ଓ ସୟଦ ମୌଲାନା ନଜିର l ଏଠାରେ ସେତେ ବେଳେ ଚୌହାନ ବଂଶର ରାଜତ୍ୱ ଚାଲିଥାଏ l ମହାରମ ପର୍ବ ଏବଂ ତାଜୀୟା ବାହାର କରିବା ପାଇଁ ରାଜାଙ୍କ ର ଅନୁମତି ଲୋଡିଥିଲେ ଜୟଦେବ ପଢ଼ିଆରୀ l ରାଜାଙ୍କ ସମ୍ମତି ଦେବା ପରେ ସେହି ଦିନ ଠାରୁ ୧୬୬୪ ମସିହାରୁ ୧୦ ପିଢ଼ି ହେବ ପଢ଼ିଆରୀ ପରିବାର ଏହି ଭାଇଚାରାର ପର୍ବ ମହରମ କୁ ରୀତିନୀତି ଅନୁସାରେ ଭବ୍ୟ ସହକାରେ ପାଳନ କରି ଆସୁଛନ୍ତି l ଏହାସହ ସମ୍ବଲପୁର ସହରର କୁମ୍ଭାରପଡ଼ା, ଦଲେଇପଡା , ମୋଦିପଡ଼ା, ବଡବଜାର,ପେନସନ ପଡ଼ା, ଭୁତାପଡା,ମୋତିଝରଣ, ସୁନାପାଲି ଠାରେ ମଧ୍ୟ ଲୋକେ ମହରମକୁ ନିଜ ପଡାରେ ଆନନ୍ଦ ଉଲ୍ଲାସ ସହିତ ଆୟୋଜନ କରି ମହରମ ପର୍ବ ପାଳନ କରିଛନ୍ତି।ମହରମ ପାଇଁ ସମଗ୍ର ସହରରେ ପୋଲିସର କଡା ପହରା ରହିଛି। ତେବେ ଶାନ୍ତି ଶୃଙ୍ଖଳାର ସହିତ ଏହା ସମାପିତ ହୋଇଛି।